କୋଲକାତା ଚାଲାଣ ପୂର୍ବରୁ ୪୩ କଇଁଛ ଜବତ, ଜଣେ ଗିରଫ

ଚଣ୍ଡିଖୋଲ,୩୦।୧୧(ଡି.ଏନ.ଏ.): କୋଲକାତା ଚାଲାଣ ପୂର୍ବରୁ ଯାଜପୁର ଜିଲା ବୈରୀ ପୋଲିସ ସୋମବାର ୪୩ କଇଁଛ ଜବତ କରିଛି। ଏହି ଘଟଣାରେ ଅଜୟ କୁମାର ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଏହି ର଼୍ୟାକେଟ୍‌ର ମୁଖ୍ୟ କୁହାଯାଉଥିବା ଶୁକଦେବ ମଣ୍ଡଳ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି। ଜବତ କଇଁଛ ଓ ଅଜୟଙ୍କୁ ପୋଲିସ ବନ ବିଭାଗକୁ ହସ୍ତାନ୍ତର କରିଛି। ବିଦେଶକୁ କଇଁଛ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଅଜୟଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଚଣ୍ଡିଖୋଲ ଥାନା ଛତିଆ ଫାଣ୍ଡି ଅଧୀନ ମୂଳିଝର ଗ୍ରାମରେ ୨ ବ୍ୟକ୍ତି ୪୩ଟି କଇଁଛଙ୍କୁ ରଖି କୋଲକାତା ଚାଲାଣ ପାଇଁ ରବିବାର ପ୍ରସ୍ତୁତି ଚଳାଇଥିଲେ। ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ କୌଣସି ସୂତ୍ରରୁ ଖବର ପାଇ କଇଁଛଗୁଡ଼ିକୁ ଜବତ କରିଥିଲେ। ତେବେ ର଼୍ୟାକେଟ୍‌ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶୁକଦେବ ଫେରାର ହୋଇଯାଇଥିଲା ବେଳେ ତାଙ୍କ ସହଯୋଗୀ ଅଜୟଙ୍କୁ ପୋଲିସ ଗିରଫ କରିଥିଲା। ବୈରୀ ଡ଼ାଳିଯୋଡ଼ା ଫରେଷ୍ଟର ସରୋଜ କୁମାର ମଲ୍ଲିକଙ୍କୁ ପୋଲିସ ଅଜୟ ଓ ଜବତ କଇଁଛଗୁଡ଼ିକୁ ହସ୍ତାନ୍ତର କରିଛି। ଜବତ କଇଁଛଗୁଡ଼ିକର ଓଜନ ୫୦କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ବନବିଭାଗ ସୂଚନା ଦେଇଛି। ପୋଲିସର ସୂଚନା ମୁତାବକ ଶୁକଦେବ ଦୀର୍ଘଦିନ ହେବ କଇଁଛ ବ୍ୟବସାୟ କରିଆସୁଛନ୍ତି। ସେ କୋଲକାତା ବ୍ୟତୀତ ଅନ୍ୟାନ୍ୟ ସହରକୁ କଇଁଛ ଚାଲାଣ କରୁଛନ୍ତି। ଆଖପାଖ ଗାଁ ପୋଖରୀରୁ ଧରାଯାଉଥିବା କଇଁଛକୁ ସେ ସଂଗ୍ରହ କରି ଅଧିକ ମୂଲ୍ୟରେ ବିକ୍ରି କରିଥାନ୍ତି। କଇଁଛର ମାଂସ ଓ ଠୋପର ଚଢ଼ାଦାମ୍‌ରେ ବିକ୍ରି ହେଉଥିବା ବନବିଭାଗ ସୂଚନା ଦେଇଛି। ତେବେ କଇଁଛର ଠୋପର କେଉଁ କାମରେ ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ କରାଯିବାରୁ ବନବିଭାଗ ତରଫରୁ ଠିକ୍‌ ଉତ୍ତର ମିଳିନାହିଁ। ସୋମବାର ଅଜୟଙ୍କୁ କୋର୍ଟ ଚାଲାଣ କରାଯାଇଛି।