ପୁରୁଷୋତ୍ତମ ଏକ୍ସପ୍ରେସରୁ ୪୩ କେଜି ଗଞ୍ଜେଇ ଜବତ

ଭଦ୍ରକ ଅଫିସ, ୨୫।୪: ରେଲୱେ ବିଭାଗର ଅପରେଶନ ସତର୍କ ନାର୍କୋସ୍‌ ଅଧୀନରେ ଆର୍‌ପିଏଫ୍‌ ଏସ୍‌ କର୍ଟିଂ ପାର୍ଟି ଚେକିଂ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ପୁରୁଷୋତ୍ତମ ଏକ୍ସପ୍ରେସରୁ ଜଣେ ମହିଳାଙ୍କଠାରୁ ୪୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ହେଲେ ସୁନିତା ଦେବୀ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ୩୨ ହଜାର ହେବ ବୋଲି ରେଲଓ୍ବେ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପୁରୁଷୋତ୍ତମ ଏକ୍ସପ୍ରେସରେ ସୁନିତା ୪ଟି ବ୍ୟାଗ୍‌ ନେଇ ଯାତ୍ରା କରୁଥିଲେ। ସେହି ଟ୍ରେନ୍‌ରେ ପୁରୀ ଆର୍‌ପିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଆସୁଥିବା ବେଳେ ତାଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା। ଯାଜପୁର ରୋଡ୍‌ ଷ୍ଟେଶନ ପରେ ଏହି ଟିମ୍‌ ତାଙ୍କ ପାଖରେ ଥିବା ୪ ବ୍ୟାଗ୍‌କୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ବ୍ୟାଗ୍‌ ସହ ମହିଳାଙ୍କୁ ଆର୍‌ପିଏଫ୍‌କୁ ହସ୍ତାନ୍ତର କରିଥିଲା ଉକ୍ତ ଟିମ୍‌। ଭଦ୍ରକ ଆର୍‌ପିଏଫ୍‌ ଏକ ମାମଲା ରୁଜୁ କରି ଜିଆର୍‌ପିକୁ ହସ୍ତାନ୍ତର କରିଥିବା କଟକ ଡିଭିଜନାଲ ରେଲୱେ ପୋଲିସର ଆସିଷ୍ଟାଣ୍ଟ କମିଶନର ସରୋଜ କୁମାର ଦାସ ସୂଚନା ଦେଇଛନ୍ତି। ବ୍ରହ୍ମପୁରରୁ ଉକ୍ତ ଗଞ୍ଜେଇ ବ୍ୟାଗ୍‌ ଦିଲ୍ଲୀ ଚାଲାଣ ହେଉଥିଲା ବୋଲି ଜଣାଯାଇଛି। ଏହି କାରବାରରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି।