Categories: ଜାତୀୟ

୪,୨୭୬ କୋଟି ଟଙ୍କାର ମିଶାଇଲ୍‌, ଏୟାର ଡିଫେନ୍ସ ଅସ୍ତ୍ର କିଣାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୧ା୧(ପି.ଟି.): ହେଲିକପ୍ଟରରୁ ନିକ୍ଷେପ କରାଯାଇପାରୁଥିବା ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ, ଏୟାର ଡିଫେନ୍ସ ଅସ୍ତ୍ର ସମେତ ୪,୨୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ଡିଫେନ୍ସ ଆକ୍ୟୁଜିଶନ କାଉନ୍‌ସିଲ୍‌ (ଡିଏସି) ମଞ୍ଜୁରୀ ପ୍ରଦାନ କରିଛି। ସ୍ଥଳସେନା ଓ ନୌସେନା ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଡିଏସି ବୈଠକ ବସି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି। ଆଣ୍ଟିଟ୍ୟାଙ୍କ ଗାଇଡେଡ୍‌ ମିଶାଇଲ ହେଲିନାକୁ ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଖଞ୍ଜାଯିବ। ଏହା ୭ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ହେଲିନା କ୍ଷେପଣାସ୍ତ୍ର ସହ ଲଞ୍ଚର ଏବଂ ଅନ୍ୟାନ୍ୟ ସହାୟକ ଉପକରଣ କିଣାକୁ ମଞ୍ଜୁରୀ ମିଳିଛି। ଏଗୁଡିକ ସାମିଲ ହେବା ପରେ ସ୍ଥଳସେନାର କ୍ଷମତା ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share