ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାଙ୍କ ଧାରଣା: ସରକାରୀ କାର୍ଯ୍ୟ ଠପ୍‌

କୋରାପୁଟ,୧।୬(ସ୍ବ.ପ୍ର): ଯୋଗ୍ୟତା ଭିତ୍ତିରେ ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ ଦାବିରେ ଗୁରବାର କୋରାପୁଟ ମିଳିତ ଅମଲାମଞ୍ଚ ପକ୍ଷରୁ ଶୋଭାଯାତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ତୁରନ୍ତ ଦାବି ପୁରଣ ନ କଲେ ଆନ୍ଦୋଳନ ଜାରି ରହିବ ବୋଲି କୋରାପୁଟ ଜିଲା ମିଳିତ ଅମଲା ମଞ୍ଚର ସଭାପତି ଶଶିଭୁଷଣ ଦାଶ ପ୍ରକାଶ କରିଛନ୍ତି।

ପୁର୍ବରୁ କୋରାପୁଟ ଜିଲାର ଥିବା ୩୫ ବିଭାଗର ସମସ୍ତ ଅମଲା ନିଜ କାର୍ଯ୍ୟାଳୟ ଅଧିକାରୀଙ୍କୁ ଛୁଟି ନେଇ ଆବେଦନ କରିଥିଲେ। ପରେ ଗୁରବାର ଧାରଣାରେ ସାମିଲ ହୋଇଛନ୍ତି। ଉପରୋକ୍ତ ଦାବି ପୂରଣ ନେଇ ଦୀର୍ଘ ୬ ବର୍ଷ ହେବ ରାଜ୍ୟ ସରକାରଙ୍କ ନିକଟରେ ଅମଲା ସଂଘ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ଟାଲଟୁଳ ନୀତିକୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଗୁରବାର ଧାରଣାରେ ଓଡ଼ିଶା ମିଳିତ ଅମଲା ମଞ୍ଚର କୋରାପୁଟ ଜିଲା ସଭାପତି ଶିଶି ଭୁଷଣ ଦାସ, ମୁଖ୍ୟ ଉପଦେଷ୍ଟା ସୁନାକର ରାଉତ, ଅଧକ୍ଷ ପ୍ରସନ୍ନ କୁମାର ନାୟକ, ସମ୍ପାଦକ ନିତ୍ୟାନନ୍ଦ ଭତ୍ରାଙ୍କ ନେତୃତ୍ୱରେ ଜିଲା ୩୫ ବିଭାଗର ଅମଲା ସମୁହ ଛୁଟି ନେଇ ଧାରଣାରେ ସାମିଲ ହୋଇଛନ୍ତି। ଅମଲାଙ୍କ ସମୁହ ଛୁଟିଯୋଗୁ ଜିଲାର ସମସ୍ତ କାର୍ଯ୍ୟଳୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରିକି ଦୁରୁଦୁରାନ୍ତରୁ ଖର୍ଚ୍ଚ କରି କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।