ଫିଲିପାଇନ୍ସ ବନ୍ୟାରେ ୪୨ ମୃତ

ମାନିଲା,୨୯ା୧୦: ଦକ୍ଷିଣପୂର୍ବ ଏସୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ର ଫିଲିପାଇନ୍ସରେ ଝଡ଼ତୋଫାନଜନିତ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ୪୨ ଜଣଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଫିଲିପାଇନ୍ସ ସାଗରରୁ ଆସିଥିବା ନଗାଲେ ଝଡ଼ର ସର୍ବାଧିକ ପ୍ରଭାବ ମଗୁଇନ୍‌ଡାନାଓ ପ୍ରଦେଶରେ ଦେଖିବାକୁ ମିଳିଛି। ଘଣ୍ଟା ପ୍ରତି ୭୫ କି.ମି. ବେଗରେ ପବନ ବହୁଛି। ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ବିମାନ ଚଳାଚଳକୁ ମଧ୍ୟ ବାତିଲ କରାଯାଇଛି। ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶନିବାର ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ବାଙ୍ଗସାମୋରୋ ସ୍ବୟଂଶାସିତ ଅଞ୍ଚଳର ଗୃହମନ୍ତ୍ରୀ ନାଗୁଇବ୍‌ ସିନାରିମ୍ବୋ ସୂଚନା ଦେଇଛନ୍ତି। କେବଳ ଗୋଟିଏ ସ୍ଥାନରେ ୮୦ ଜଣ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ଫିଲିପାଇନ୍ସରେ ଗ୍ରୀଷ୍ମମଣ୍ଡଳୀୟ ଝଡ଼ ଯୋଗୁ ବାରମ୍ବାର ବନ୍ୟା ଆସି ଭୂସ୍ଖଳନ ହୋଇଥାଏ। ଦେଶରେ ବର୍ଷକୁ ହାରାହାରି ୨୦ ଝଡ଼ ହୋଇଥାଏ।

Share