Categories: ଜାତୀୟ

୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ

ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍‌ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍‌ଫୋନ୍‌ କିମ୍ବା ଟାବ୍‌ଲେଟ୍‌ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍‌ଫୋନ୍‌, ଟାବ୍‌ଲେଟ୍‌ରେ ବ୍ୟୟ କରୁଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ଏକାଧିକ ଡିଭାଇସ୍‌ ଥିବା ପରିବାର, ଯେଉଁଠି ପିଲାମାନଙ୍କ ସ୍କ୍ରିନ୍‌ ଟାଇମକୁ ନିୟନ୍ତ୍ରଣ କରିବା ମାଆବାପାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି, ସେମାନଙ୍କୁ ନେଇ ହାପିନେଜ୍‌ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା।
ସର୍ଭେରେ ୧,୫୦୦ ମାଆବାପା ଭାଗନେଇଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ୧୨ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୬୯ ପ୍ରତିଶତ ପିଲାଙ୍କ ପାଖରେ ନିଜସ୍ବ ସ୍ମାର୍ଟଫୋନ୍‌ କିମ୍ବା ଟାବ୍‌ଲେଟ ରହିଛି। ସେମାନେ ଅବାଧରେ ଅନ୍‌ଲାଇନ କ୍ଷେତ୍ରରେ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତ ନିଜକୁ ୟୁଟ୍ୟୁବ୍‌ ଦୁନିଆରେ ନିମଗ୍ନ କରି ରଖୁତ୍ଥବାବେଳେ ୧୨ ବର୍ଷ ଓ ତଦୂର୍ଦ୍ଧ୍ୱ ୬୧ ପ୍ରତିଶତଙ୍କ ପାଇଁ ଅନ୍‌ଲାଇନ ଗେମିଂ ହେଉଛି ସବୁଠୁ ଭଲ ଡିଜିଟାଲ୍‌ ଟାଇମ୍‌ପାସ୍‌। ପିଲାମାନଙ୍କ ଅସୁରକ୍ଷିତ ଇଣ୍ଟରନେଟ୍‌ ରୁଚିଜନିତ ସମସ୍ୟାର ସମାଧାନ କେବଳ ଶୃଙ୍ଖଳା ନୁହେଁ ବୋଲି ହାପିନେଜ୍‌ର ସହପ୍ରତିଷ୍ଠାତା ତଥା ସିଇଓ ରିଚା ସିଂ କହିଛନ୍ତି। ବର୍ତ୍ତମାନ ଶିକ୍ଷାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ହୋଇଯାଇଥିବାରୁ ପିଲାମାନଙ୍କ ଦୈନନ୍ଦିନ ଦିନଚର୍ଯ୍ୟାକୁ ନିୟନ୍ତ୍ରଣ କରିବାରେ ସ୍ମାର୍ଟ ଡିଭାଇସ୍‌ ଏକ ଉପକରଣ ପାଲଟିଛି। ଫଳରେ ପିଲାଏ ସେମାନଙ୍କ ହୋମ୍‌ଓ୍ବାର୍କ ପାଇଁ ହେଉ କିମ୍ବା ସାଙ୍ଗମାନଙ୍କ ସହ ଚାଟିଂ ଅଥବା ପାଠପଢ଼ାରେ ସହାୟତା ଲାଗି ଅନ୍ୟ ଆପ୍‌ ବ୍ୟବହାରରେ କିଛି ସମୟ ବିନିଯୋଗ କରୁଛନ୍ତି। ସର୍ଭେ ଅନୁଯାୟୀ ସ୍କ୍ରନ୍‌ ଏବେ ପିଲାମାନଙ୍କ ପାଇଁ ଏକ ବାସ୍ତବତା- ପାଠ ପଢ଼ିବା ଓ ଅବସର ବିନୋଦନର ଏକ ମାଧ୍ୟମ ପାଲଟିଯାଇଛି। ପିଲାଙ୍କ ନିରାପଦ ଇଣ୍ଟରନେଟ୍‌ ବ୍ୟବହାରକୁ ତଦାରଖ କରିବା ପାଇଁ ମାଆବାପାଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ବାଟ ନାହିଁ। ହାପିନେଜ୍‌ର ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଫିଲ୍‌ଟର ବକ୍ସ ନିୟମିତ ଭାବେ ୧୧୦ ନିୟୁତରୁ ଅଧିକ ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌କୁ ତଦାରଖ କରିବା ସହ ସେଥିରୁ ୨୨ ନିୟୁତ (୨୦ %) କ୍ଷତିକାରକ ପ୍ରାପ୍ତବୟସ୍କ ସାଇଟ୍‌ ଓ ଆପ୍‌କୁ ସ୍ଥାୟୀ ଭାବେ ବ୍ଲକ୍‌ କରାଇଛି। ମାଆବାପା ଚାହିଁଲେ, ସୋସିଆଲ ମିଡିଆ, ଚାଟ୍‌, ଫୋରମ୍‌, ଅନ୍‌ଲାଇନ ଲର୍ନିଂ ଆଦି ୧୩ଟି ବର୍ଗକୁ ବାଛି ସେମାନଙ୍କ ପିଲାଙ୍କ ସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟବହାର ପାଇଁ ଅନୁମତି ଦେଇପାରିବେ ବୋଲି ସିଂ କହିଛନ୍ତି।

Share