ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଭାଗର ନାମଲେଖା ତିନୋଟି ପର୍ଯ୍ୟାୟରେ ପୂର୍ବରୁ ସରିଛି। ଶନିବାର ଅପରାହ୍ନ ୨ଟାରେ ସ୍ପଟ ନାମ ଲେଖା ପାଇଁ ତାଲିକା ପ୍ରକାଶିତ ହୋଇଛି। ଛାତ୍ରୀଛାତ୍ରମାନେ ନିଜ ଆଇଡିରେ ନାମ ଦେଖିପାରିବେ। ରାଜ୍ୟରେ ୧୦୫୨ଟି କଲେଜରେ ଯୁକ୍ତ ୩ରେ ୨୭୩୯୯୩ଟି ସିଟ ଥିବା ବେଳେ ସେଥିମଧ୍ୟରୁ ୧୫୯୮୭୪ ଜଣ ଛାତ୍ରୀଛାତ୍ର ତୃତୀୟ ପର୍ଯ୍ୟାୟ ସୁଦ୍ଧା ନାମ ଲେଖାଇଛନ୍ତି। ବଳକା ୧ ଲକ୍ଷ ୧୪ ହଜାର ୧୧୯ ସିଟ ଖାଲି ଥିବା ବେଳେ ଉକ୍ତ ସିଟ ଗୁଡ଼ିକ ପୂରଣ ପାଇଁ ଆଜି ସ୍ପଟ ନାମ ଲେଖା ତାଲିକା ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୬୮ଟି କଲେଜରେ ୨୩୪୦୦ ସିଟ ଅଛି। ସେଥିମଧ୍ୟରୁ ୧୩୮୯୦ ଛାତ୍ରୀଛାତ୍ର ତୃତୀୟ ପର୍ଯ୍ୟାୟ ସୁଦ୍ଧା ନାମ ଲେଖାଇଛନ୍ତି। ବଳକା ୯୫୧୦ ସିଟ ଖାଲି ପଡ଼ିଛି। ବାଣିଜ୍ୟରେ ୩୧୯୬୪ ସିଟ ରାଜ୍ୟରେ ଥିବା ବେଳେ ସେଥିରୁ ୧୪୨୬୪ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। କଳାରେ ୧୫୫୩୪୪ ସିଟ ଥିବା ବେଳେ ସେଥିରୁ ୧୦୧୮୮୫ ଜଣ ନାମ ଲେଖାଇଛନ୍ତି। ବିଜ୍ଞାନରେ ରାଜ୍ୟରେ ୭୨୪୨୧ ସିଟ ଥିବା ବେଳେ ୪୯୫୧୯ ଜଣ ନାମ ଲେଖାଇଛନ୍ତି। ସଂସ୍କୃତ ସମେତ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ ଆଜି ସ୍ପଟ ନାମ ଲେଖା ପାଇଁ ତାଲିକା ପ୍ରକାଶିତ ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନ ରେ ସର୍ବମୋଟ ୮୯୬ ସିଟ ଥିବା ବେଳେ ସେଥିରୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୪୮୮ ଜଣ ନାମ ଲେଖାଇଛନ୍ତି। ବଳକା ସିଟ ପୂରଣ ପାଇଁ ଆଜି ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ବାଣିଜ୍ୟରେ ୨୫୬ ସିଟ ଅନୁମୋଦନ ହୋଇଥିବା ବେଳେ ଆଜକୁ ବହୁବର୍ଷ ହେବ ୨୦ ରୁ ୩୦ ପ୍ରତିଶତ ଛାତ୍ରୀଛାତ୍ର ହିଁ ନାମ ଲେଖାଉଛନ୍ତି। ବଳକା ସିଟ ଖାଲି ପଡ଼ୁଛି। କଳା ସିଟ ପ୍ରତିବର୍ଷ ପ୍ରାୟ ପୂରଣ ହେଉଥିବା ବେଳେ ବିଜ୍ଞାନରେ କିଛି ସିଟ ଖାଲି ପଡ଼ୁଛି। ସ୍ପଟ ନାମ ଲେଖା ୧୫ ଓ ୧୬ ତାରିଖ ଦୁଇଦିନ ହେବ। ତେଣୁ କେଏସୟୁବି କଲେଜ ଡିଇଓ ଅଜିତ କୁମାର ସାହୁ ଏବଂ ନାମ ଲେଖା ଦାୟିତ୍ୱରେ ଥିବା ଅଧ୍ୟାପକ ଦୁର୍ଗା ମାଧବ ସାହୁ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥୀ ନାମ ଲେଖା ପ୍ରକ୍ରିୟାକୁ ତଦାରଖ କରୁଛନ୍ତି।


