ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୪୦୧୨ ପକ୍ଷୀ

ଚିତ୍ରକୋଣ୍ଡା,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ପକ୍ଷୀଗଣନା କରାଯାଇଛି। ମୋଟ ୪୦୧୨ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି।

ବନ ବିଭାଗର ବୋଟ୍‌ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟରୁ ଆଲାମପକା ଏବଂ ଆଲାମପକା ଠାରୁ ଜାନବାଇ ଧନୁର୍ଯ୍ୟୟଗୁଡ଼ା ପର୍ଯ୍ୟନ୍ତ ନଦୀ ଭିତରେ ବୁଲି ପକ୍ଷୀଗଣନା କରାଯାଇଥିଲା। ଏଥିରେ ୮ ବନ କର୍ମଚାରୀ, ଜଣେ ଭିଏସ୍‌ଏସ୍‌, ୪ ସ୍କ୍ବାର୍ଡ ନିୟୋଜିତ ହୋଇଥିଲେ। ଚିହ୍ନଟ ପକ୍ଷୀଙ୍କ ମଧ୍ୟରେ ଛୋଟ ପାଣିକୁଆ, ଧଳା ବଗ, ବଡ଼ ପାଣିକୁଆ, କିଙ୍ଗ୍‌ ଫିଶର୍‌, ରାଣୀବଗ, ପାଣି ଡ଼ୁବୁକି, ହାଡ଼ଗିଳା, କଳାକାଙ୍କ ଓ ହଁସରାଳୀ ରହିଥିବା ସୂଚନା ମିଳିଛି। ଉକ୍ତ ପକ୍ଷୀଗଣନା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନପାଳ ମୃତୁଞ୍ଜୟ ସେଠି, ନିରଞ୍ଜନ ସାହୁ, ହରି ହନ୍ତାଳଙ୍କ ସମେତ ଅନ୍ୟ କାର୍ଯ୍ୟାଳୟର ବନପାଳ ପରିଚାଳନା କରିଥିଲେ।