୪୦୦ ବର୍ଷ ପରେ ଡିସେମ୍ବର ୨୧ ସନ୍ଧ୍ୟାରେ ବୃହସ୍ପତି ଓ ଶନିର ମହାମିଳନ

ଭୁବନେଶ୍ୱର, ୨୯ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୧ ସନ୍ଧ୍ୟା ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟରେ ଦେଖାଯିବେ। ପ୍ରାୟ ୪୦୦ବର୍ଷ ପରେ ଏହି ମହାମିଳନ ହେବ। ତେଣୁ ଏହାଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ବୃହସ୍ପତି ଓ ଶନିର ଏପରି ମହାମିଳନ (୦.୧ଡିଗ୍ରୀରୁ କମ୍‌) ୧୬୨୩ ଜୁଲାଇ ୧୬ରେ ଦିଗ୍‌ବଳୟର ୧୩ ଡିଗ୍ରୀ ଉପରେ ଦେଖାଯାଇଥିଲା। ଯାହା ସବୁ ଜାଗାରେ ଦେଖିବା ସମ୍ଭବ ହୋଇ ନ ଥିବ। ତେଣୁ ଶେଷଥର ପାଇଁ ୧୬୨୬ ମାର୍ଚ୍ଚ ୪ରେ ଘଟିଥିବା ମହାମିଳନକୁ ଦେଖିବା ସହଜ ଥିଲା।

ବର୍ତ୍ତମାନ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗ୍‌ବଳୟର ଅଳ୍ପ ଉପରେ ଖାଲି ଆଖିରେ ଖୁବ୍‌ ସୁନ୍ଦର ଭାବେ ଦେଖାଯାଉଛି। ଆସନ୍ତା ତିନି ସପ୍ତାହ ଧରି ପ୍ରତିଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା କମିବ ଓ ଖୁବ୍‌ ପାଖାପାଖି ଦେଖାଯିବେ। ଡିସେମ୍ବର ୨୧ରେ ସୂର୍ଯ୍ୟାସ୍ତର ଏକଘଣ୍ଟା ପରେ ପଶ୍ଚିମ ଦିଗବଳୟ ଉପରେ ଏକତ୍ର ଦେଖାଯିବେ। ସେମାନଙ୍କ ଭିତରେ ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ। ଭାରତ ତଥା ଓଡ଼ିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖିହେବ। ଛୋଟ ଦୂରବୀକ୍ଷଣରେ ଏକ ସମୟରେ ବୃହସ୍ପତି ଓ ତା’ର ୪ ଉପଗ୍ରହ ଏବଂ ଶନି ଓ ତା’ର ଏକ ଉପଗ୍ରହ ଦେଖିହେବ। ଏଭଳି ବୃହସ୍ପତି ଓ ଶନି ଆମ ଜୀବନକାଳରେ ଥରେ ଏକାଠି ହେବେ, ତେଣୁ ଏପରି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ଡ. ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।