Categories: ଜାତୀୟ

ଭଙ୍ଗାଯିବ ୪୦ ମହଲା କୋଠା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୋଏଡା,୩୧।୮: ଏକ ୪୦ ମହଲା କୋଠା ଭଙ୍ଗାଯିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ରିୟଲ ଇଷ୍ଟେଟ୍‌ କମ୍ପାନୀ ସୁପରଟେକ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କୋଠାକୁ ଶୀଘ୍ର ମାଟିରେ ମିଶାଇବାକୁ କୋର୍ଟ କହିଛନ୍ତି। ସମ୍ପୃକ୍ତ କମ୍ପାନୀ ଏବଂ ଉତ୍ତରପ୍ରଦେଶର କେତେକ ସରକାରୀ ଅଧିକାରୀ ଜାଣିଶୁଣି ଏଭଳି ବେଆଇନ ନିର୍ମାଣ କରିଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବାସିକ ପ୍ରକଳ୍ପ ଭଙ୍ଗାଯିବା ଯୋଗୁ ବାସଗୃହ ହରାଉଥିବା ଲୋକଙ୍କୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ସହିତ ସେମାନଙ୍କର ଟଙ୍କା ଫେରାଇବାକୁ ଶୀର୍ଷ କୋର୍ଟଙ୍କ ପକ୍ଷରୁ ଆଦେଶ ପ୍ରଦାନ କରାଯାଇଛି। ଲୋକଙ୍କୁ ଆସନ୍ତା ୨ ମାସ ମଧ୍ୟରେ ସେମାନଙ୍କର ଟଙ୍କା ୧୨ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ କୋର୍ଟ କହିଛନ୍ତି। ଏହି ଟୁଇନ୍‌ ଟାଓ୍ବାରର ଭଙ୍ଗାଯିବା ଖର୍ଚ୍ଚ ମଧ୍ୟ କମ୍ପାନୀକୁ ବହନ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ ଆଦେଶ ଦେଇଛନ୍ତି।

ଟାଓ୍ବାର ଭଙ୍ଗା କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ କହିଛନ୍ତି। ଭଙ୍ଗାଯିବା ସମୟରେ ଆଖପାଖରେ ଥିବା କୋଠାକୁ ଯେପରି କୌଣସି କ୍ଷତି ନ ପହଞ୍ଚେ ସେ ନେଇ କୋର୍ଟ ତାଗିଦ୍‌ କରିଛନ୍ତି। ଟି-୧୬ ଏବଂ ଟି-୧୭ ନାମକ ଏହି ଦୁଇ ଟାଓ୍ବାରରେ ୪୦ ମହଲା ରହିଛି। ପ୍ରତି ଟାଓ୍ବାରର ଫ୍ଲାଟ ସଂଖ୍ୟା ୧ ହଜାର। ଦୁଇ ଟ୍ବାଓ୍ବାରରେ ମୋଟ ୨ ହଜାର ଫ୍ଳାଟ ରହିଛି। ୨୦୧୪ରେ ଏହାକୁ ଭାଙ୍ଗିବା ପାଇଁ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଥିଲା। ପରେ ସୁପରଟେକ୍‌ କର୍ତ୍ତୃପକ୍ଷ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

 

Share