‘୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗିଛି’

କୋରାପୁଟ, ୩ା୩(ସ୍ବ.ପ୍ର.): କୋରାପୁଟଠାରେ ବନ ବିଭାଗ ଓ କୋଟସ୍‌ର ମିଳିତ ଆନୁକୂଲ୍ୟରେ ଗୁରୁବାର ଜଙ୍ଗଲ ନିଆଁ ଲିଭାଇବା ନେଇ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅବଦାଲ ଏମ୍‌. ଅଖତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଉପରେ ଗୁରୁତ୍ୱରୋପ କରି ଏ ଦିଗରେ ବନ ବିଭାଗ କର୍ମଚାରୀଙ୍କ ସହ ସମ୍ପୃକ୍ତ ଅଞ୍ଚଳବାସୀ ସମନ୍ବୟ ରଖି ଜଙ୍ଗଲରେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ଦରକାର ବୋଲି କହିଥିଲେ। ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି। ବିଭିନ୍ନ ବନାଞ୍ଚଳରେ ଏବେ ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି ବୋଲି ଡିଏଫ୍‌ଓ ଅମିତା ରାଣୀ କହିଥିଲେ। ବତ୍ତର୍ର୍ମାନ ଜଙ୍ଗଲରେ ଲାଗୁଥିବା ନିଆଁ ମଧ୍ୟରୁ ୬୦ ପ୍ରତିଶତ ନିଆଁ ଜଙ୍ଗଲରେ ଲାଗୁଥିବାବେଳେ ୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗୁଛି। ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ରହିଛି। ୨୦୨୨ରେ ୧୦୫୪ ଫାୟାର ପଏଣ୍ଟ ରହିଥିଲା ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ସିଏଫ୍‌ଓ ରମେଶ ଚନ୍ଦ୍ର ମାଝି, ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି, କୋଟସ୍‌ର ନିର୍ଦ୍ଦେଶକ ପି.ସି.ମହାପାତ୍ର, ଅତିରିକ୍ତ ଏସ୍‌ପି ଉତ୍କଳ କିଶୋର ଦାସ, ଜିଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଦାସଙ୍କ ସମେତ ବିଭାଗର ସ୍ବତନ୍ତ୍ର ଫାୟାର ସ୍କ୍ବାଡ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁକୁ କିପରି ଆୟତ୍ତ ଓ ଲିଭାଯାଇପାରିବ ସେନେଇ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା।