ଫେକ୍‌ ଆକାଉଣ୍ଟ ମାଧ୍ୟମରେ ୪୦ ଲକ୍ଷ ଟଙ୍କା ଠକେଇ

ନୟାଗଡ଼ ଅଫିସ,୧୯।୨: ଫେକ୍‌ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ ସହରରର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ପୂର୍ବତନ ରିଲେଶନ ଅଫିସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ପୂର୍ବତନ ରିଲେଶନ ଅଫିସର ତଥା ପୁରୀ ଜିଲା ଡେଲାଙ୍ଗ ଥାନା ଟୋଲାପଡ଼ା ଗାଁର ପ୍ରବୀର କୁମାର ସେନାପତି ଓରଫ ପପୁଙ୍କୁ ନୟାଗଡ ସବ୍‌ଜେଲକୁ ପଠାଇ ଦିଆଯାଇଛି। ପ୍ରବୀରଙ୍କ ଠାରୁ ୯ ଲକ୍ଷ ୯୦ ହଜାର ଟଙ୍କା, ଠକେଇରେ ବ୍ୟବହୃତ ମୋବାଇଲକୁ ଜବତ କରାଯାଇଛି । ଅନ୍ୟ ଟଙ୍କା ବ୍ୟାଙ୍କ ଓ ଜୀବନ ବୀମା ନିଗମରେ ଡିପୋଜିଟ ଅଛି। ପୋଲିସ ଉକ୍ତ ଟଙ୍କାକୁ ଫ୍ରିଜ କରିଛି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ଟଙ୍କା ଉଠାଣ କରାଯାଇ ପାରିବ ନାହିଁ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ପ୍ରବୀର ନୟାଗଡ଼ର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ରିଲେଶନ ଅଫିସର ଭାବେ କାମ କରୁଥିଲେ। ଗତ ୨ ତାରିଖରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ପ୍ରବୀରଙ୍କ ଇସ୍ତଫା ପରେ ତାଙ୍କର ସାଙ୍ଗ ଅଭିମନ୍ୟୁ ମୁଦୁଲି ରିଲେଶନ ଅଫିସର ଭାବେ କାମରେ ଯୋଗଦେଇଥିଲେ। ଅଭିମନ୍ୟୁ ଏକ ନୂଆ ମୋବାଇଲ କିଣିଥିବାରୁ ପୁରୁଣା ମୋବାଇଲକୁ ବିକ୍ରି କରିବାକୁ ଚାହିଁଥିଲେ। ଏହି ସୁଯୋଗରେ ପ୍ରବୀର ଅଭିମନ୍ୟୁଙ୍କ ପୁରୁଣା ମୋବାଇଲକୁ କିଣିଥିଲେ। ଏହାପରେ ସେହି ପୁରୁଣା ମୋବାଇଲରେ ପ୍ରବୀର ୮ଟି ଫେକ୍‌ ଆକାଉଣ୍ଟ ଖୋଲିଥିଲେ। ସେହି ୮ ଫେକ୍‌ ଆକାଉଣ୍ଟ ମାଧ୍ୟମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ୪ଟି ବିଭିନ୍ନ ଶାଖାରୁ ୪୦ ଲକ୍ଷ ଟଙ୍କା ଚଞ୍ଚକତା କରି ଉଠାଇ ନେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା(ନଂ.୩୧/୨୦୨୩) ରୁଜୁ କରି ଘଟଣାର ତଦନ୍ତ କରିଥିଲା।