କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ ୩୨ରୁ ଊର୍ଦ୍ଧ୍ୱ ବିଭାଗରେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ‘ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ’ରେ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି କମ୍ ବୟସର ବିସ୍ମୟକର ସଫଳତା ପାଇଁ ସମଗ୍ର ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ୱସ୍ତିକାଙ୍କ ପିତା ସୁପ୍ରଭାତ ରାଉତ ଏକ ଘରୋଇ ବ୍ୟାଙ୍କରେ ପରିଚାଳକ ଭାବେ କାର୍ଯ୍ୟରତ ଥିବା ବେଳେ ମାତା ସ୍ନିଗ୍ଧାରାଣୀ ମହାପାତ୍ର ଜଣେ ଉଚ୍ଚଶିକ୍ଷିତା ଗୃହିଣୀ।

ପିତା ସୁପ୍ରଭାତ ରାଉତଙ୍କ କହିବା ଅନୁସାରେ, ସ୍ୱସ୍ତିକା ୨୦ ପ୍ରକାର ଯୋଗାସନ କରିବା ସହିତ କମ୍ପ୍ୟୁଟରର ବିଭିନ୍ନ ଉପକରଣ, ପନିପରିବା, ଫଳମୂଳ, କୀଟପତଙ୍ଗ ଏବଂ ପଶୁପକ୍ଷୀଙ୍କ ନାମ ନିର୍ଭୁଲ ଭାବେ ଚିହ୍ନଟ କରି କହିପାରୁଛନ୍ତି। ଏହାସହ ସପ୍ତାହର ସାତ ଦିନ, ବାର ମାସ, ଋତୁ, ବିଭିନ୍ନ ଫୁଲ ଓ ଫଳର ନାମ ଇଂରାଜୀରେ ସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ସହ ପଶୁପକ୍ଷୀଙ୍କ ସ୍ୱର ଅନୁକରଣ କରିବାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି।

ଝିଅର ଏହି ବହୁମୁଖୀ ପ୍ରତିଭାକୁ ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ପରିବାର ଲୋକେ ଇଣ୍ଟରନେଟ୍ ମାଧ୍ୟମରେ ‘ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ’ ପାଇଁ ଆବେଦନ କରିଥିଲେ। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସ୍ୱସ୍ତିକାଙ୍କ ପ୍ରତିଭାର ଭିଡିଓ ରେକର୍ଡ କରି ପଠାଯିବା ପରେ ବିଚାରକମାନେ ତାଙ୍କ ଦକ୍ଷତାକୁ ପରଖି ଏହି ସ୍ୱୀକୃତି ପ୍ରଦାନ କରିଛନ୍ତି। ଗତ ବୁଧବାର ସଂସ୍ଥା ପକ୍ଷରୁ ସ୍ୱସ୍ତିକାଙ୍କ ନିକଟକୁ ପଦକ, ମାନପତ୍ର ଏବଂ ରେକର୍ଡ ପୁସ୍ତକ ପଠାଯାଇଛି। ମାତ୍ର ୪ ବର୍ଷ ବୟସରେ ଏଭଳି ସଫଳତା ହାସଲ କରି ସ୍ୱସ୍ତିକା ଅନ୍ୟ ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି।

Dharitri – Odisha’s No.1 Odia Daily

Share