‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ‘ଡେଲ୍‌ଟା ପ୍ଲସ୍‌’ ଭାରିଆଣ୍ଟକୁ ନେଇ ଚିନ୍ତା ବଢ଼ିଲାଣି। ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଡେଲ୍‌ଟା ପ୍ଳସ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ସଜାଗ ରହିଥିବା କହିଛନ୍ତି ଡିଏମ୍‌ଇଟି ଡା. ସିବିକେ ମହାନ୍ତି। ଏହି ଭାରିଆଣ୍ଟର ସଂକ୍ରମଣ ଓ ଗୁରୁତର ଅସୁସ୍ଥ କରିବାର କ୍ଷମତା ଏବଂ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଏପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ଆସନ୍ତା ୪ରୁ ୬ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ଏହି ସମୟ ମଧ୍ୟରେ ଡେଲ୍‌ଟା ପ୍ଳସ୍‌ ସଂକ୍ରମଣ ବଢ଼ିଲେ ତୃତୀୟ ଲହର ଆଗୁଆ ଆସିପାରେ। ଏ ନେଇ ଭୁବନେଶ୍ୱର ଏମ୍ସ ପୂର୍ବତନ ନିର୍ଦ୍ଦେଶ ଡା. ଅଶୋକ ମହାପାତ୍ର କହିଛନ୍ତି ଯେ, ଏହି ଭାରିଆଣ୍ଟର ଆକ୍ରାନ୍ତ ବହୁ କମ୍‌। ତେଣୁ ଏହା ସମ୍ପର୍କରେ ଅଧିକ ତଥ୍ୟ ନାହିଁ। ତେବେ ପ୍ରଚଳିତ ଟିକା ‘ଡେଲ୍‌ଟା’ ଭ୍ୟାରିଆଣ୍ଟ ବିରୋଧରେ କାମ କରୁଥିବାରୁ ‘ଡେଲ୍‌ଟା ପ୍ଳସ୍‌’ ବିରୋଧରେ ମଧ୍ୟ କାମ କରିବ ବୋଲି ଆଶା କରାଯାଉଛି।