୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, ୧୦ା୮ (ଡି.ଏନ୍‌.ଏ): ଗଜପତି ଜିଲାରେ ଗତ ଦୁଇଦିନ ଧରି ଲାଗିରହିଛି ଲଘୁଚାପ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଇ କୂଳ ଲଙ୍ଘୁଛି। ମୋହନା ନିକଟରେ ପ୍ରବାହିତ ହେଉଥିବା ହରଭଙ୍ଗି ନଦୀର ପ୍ରଖର ସ୍ରୋତରେ ଭାସିଯାଇଛି ଅସ୍ଥାୟୀ ପୋଲ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେଇ ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ମୋହନା ବ୍ଲକରେ ପ୍ରବାହିତ ହେଉଛି ହରଭଙ୍ଗି ନଦୀ। ମୋହନାକୁ ଯିବାକୁ ହେଲେ ଏହି ନଦୀ ପାର ହେବାକୁ ପଡ଼େ ବାଢ଼େଇପୁର, ଗୁଣ୍ଡିରିଗୁଡ଼ା, ଧନପଙ୍କ ଓ ନୂଆସାହିବାସୀଙ୍କୁ। ଲୋକଙ୍କ ଯିବାଆସିବା ପାଇଁ ହରଭଙ୍ଗିରେ ନିର୍ମାଣ ହୋଇଥିଲା ଏକ ଅସ୍ଥାୟୀ ପୋଲ। ଆଖପାଖ ଲୋକଙ୍କ ଜୀବନଜୀବିକା ପାଇଁ ଗମନାଗମନର ମାଧ୍ୟମ ପାଲଟିଥାଏ ଏହି ପୋଲ। ହେଲେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀରେ ପ୍ରଖର ସ୍ରୋତ ଆସିବାରୁ ସୋମବାର ରାତିରେ ପୋଲଟି ଭାସିଯାଇଛି। ବନ୍ଧ ବାଡ଼ ଡେଇଁ ମାଡ଼ିଚାଲିଛି ଜଳରାଶି। ଫଳରେ ଉପରୋକ୍ତ ୪ଟି ଗଁାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଖାଲି ସେତିକି ନୁହେଁ, ଛାତ୍ରୀଛାତ୍ରମାନଙ୍କ ସ୍କୁଲ କଲେଜ୍‌ ଯିବାରେ ବାଧା ସୃଷ୍ଟି ହୋଇଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଗୁଣ୍ଡିରିଗୁଡ଼ାର ଇସ୍ରାଇଲ ମଣ୍ଡଳ ନାମକ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିତ୍ବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ଗ୍ରାମ ପଞ୍ଚାୟତ ଅଧିକାରୀ (ଜିପିଓ) ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।