Categories: ଜାତୀୟ

ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍‌…

ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ସନ୍ଦେହଜନକ ଡ୍ରୋନ ଉଡ଼ି ବୁଲୁଥିବା ଘଟଣା ଘଟୁଛି। ରବିବାର ଦିନ ଜମ୍ମୁର ସାମ୍ବା ସେକ୍ଟରରେ ୪ଟି ସନ୍ଦିଗ୍ଧ ଡ୍ରୋନ୍‌ ଦେଖିବାକୁ ମିଳିଥିଲା। ସୂଚନାନୁସାରେ, ଏହି ଡ୍ରୋନଗୁଡିକ ବଡି ବ୍ରହମନା ଅଞ୍ଚଳରେ ଥିବା ସେନା ଶିବିର ନିକଟରେ ଉଡ଼ି ବୁଲୁଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ସାମ୍ବା ସେକ୍ଟରରେ ଏଭଳି ଡ୍ରୋନ ଦେଖିବାକୁ ମିଳିଥିଲା। ବଡି ବ୍ରହମନାର ବିରପୁର, ବିଷ୍ଣୁ ରୋଡର ୧୫୭ କ୍ୟାମ୍ପ୍‌ ନିକଟରେ ଏବଂ ପେଟ୍ରୋଲ ପମ୍ପ ଆଦି ତିନୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକେ ଡ୍ରୋନ ଦେଖିଥିଲେ। ଏସମ୍ପର୍କରେ ସେନାକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସର ସହାୟତା ଲୋଡା ଯାଇଥିଲା।
ଡ୍ରୋନଗୁଡ଼ିକ ଫାୟାରିଙ୍ଗ୍‌ ରେଞ୍ଜ୍‌ ବାହାରେ ଉଡୁଥିବାରୁ ସେନା ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇ ନ ଥିଲା। ପୋଲିସର ସୂଚନାନୁସାରେ, ଏହି ଘଟଣା ରାତି ୯ଟା ୩୦ରେ ଘଟିଥିଲା। ଡ୍ରୋନଗୁଡ଼ିକ ୫୦୦ ମିଟର ଉଚ୍ଚରେ ଉଡୁଥିଲା। ଏହା ପୂର୍ବରୁ
ଶନିବାର ମଧ୍ୟ ଡ୍ରୋନ ଦେଖିବାକୁ ମିଳିଥିଲା। ଶନିବାର ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଡ୍ରୋନ ଦେଖିବାକୁ ମିଳିଥିଲା। ଜମ୍ମୁର ସାମ୍ବା ଜିଲ୍ଲାର ଗୱାଲରେ ଥିବା ପୋଲିସ ଷ୍ଟେସନ ଏବଂ ଆଇଟିବିପି କ୍ୟାମ୍ପ ନିକଟରେ ଡ୍ରୋନ ଦେଖାଯାଇଥିଲା। ଏହାର କିଛି ସମୟ ପରେ, ଡୋମାନାର ସ୍ଥାନୀୟ ଲୋକମାନେ ଡ୍ରୋନ ଦେଖିଥିଲେ। ବାରମ୍ବାର ସେନା ଶିବିର ନିକଟରେ ଡ୍ରୋନ ଦେଖାଯାଉଥିବାରୁ ଏନଆଇଏ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି॥ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀମାନେ ଡ୍ରୋନ ଆକ୍ରମଣର ଷଡଯନ୍ତ୍ର କରୁଥିବା ଗୁପ୍ତ ସୂଚନା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯିବା ପରେ ନିୟନ୍ତ୍ରଣ ରେଖାରେ ହାଇ ଆଲର୍ଟ ଜାରି କରାଯାଇଛି।

Share