ମଙ୍ଗଳରେ ବାସ କରିପାରିବେ ପୃଥିବୀର ୪ ପ୍ରଜାତିର ମିଥାନୋଜେନ୍ସ୍‌

ଓ୍ବାଶିଂଟନ,୨୫।୧୧: ମଙ୍ଗଳରେ ବସତି ସ୍ଥାପନ କରିବା ଲାଗି ମନୁଷ୍ୟ ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ, ପୃଥିବୀରେ ଥିବା ୪ ପ୍ରଜାତିର ସୁକ୍ଷ୍ମ ଅଣୁଜୀବ ମଙ୍ଗଳରେ ସହଜରେ ବାସ କରିପାରିବେ। ମଙ୍ଗଳରେ ସହଜରେ ମିଥାନୋଥର୍ମୋବ୍ୟାକ୍ଟର ଓ୍ବଲଫେଲି, ମିଥାନୋ ସାରସିନା ବାର୍କରି, ମିଥାନୋବ୍ୟାକ୍ଟ୍ରିୟମ୍‌ ଫର୍ମିସିକମ୍‌ ଏବଂ ମିଥାନୋକୋକସ୍‌ ମାରିପାଲୁଡିସ୍‌ ଆଦି ୪ ଅଣୁଜୀବ ବାସ କରିପାରିବେ। ଏସବୁ ଅଣୁଜୀବ ପୃଥିବୀରେ ବାସ କରିଥାନ୍ତି। ଏଭଳି ସୁକ୍ଷ୍ମ ଜୀବ ବିନା ଅମ୍ଳଜାନରେ ବଞ୍ଚି ରହିଥାନ୍ତି। ମଙ୍ଗଳର ବାୟୁମଣ୍ଡଳରେ ପ୍ରଚୁର ମାତ୍ରାରେ ମିଥେନ୍‌ ରହିଛି। ଏଠାରେ ଅମ୍ଳଜାନ ଗ୍ରହଣ କରୁଥିବା ପ୍ରାଣୀ ଅବା ସୁକ୍ଷ୍ମଜୀବ ବାସ କରିବା ଅସମ୍ଭବ। ମଙ୍ଗଳର ତାପମାତ୍ରା ମାଇନସ୍‌ ୪୮ ଡିଗ୍ରୀ ରହିଥାଏ। ତେବେ ପୃଥିବୀରେ ବାସ କରୁଥିବା ୪ ପ୍ରଜାତିର ମିଥାନୋଜେନ୍ସ୍‌ ଏଭଳି ପରିସ୍ଥିତିରେ ବଞ୍ଚି ରହିପାରିବେ ବୋଲି ଅରଙ୍କସାସ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଓରିଜିନ୍‌ ଅଫ୍‌ ଲାଇଫ୍‌ ଆଣ୍ଡ୍‌ ଇଭୋଲ୍ୟୁଶନ ଅଫ୍‌ ବାୟୋସ୍ପିୟର ପତ୍ରିକାରେ ପ୍ରକାଶ ପାଇଛି। ମିଥାନୋଜେନ୍ସ୍‌ ବଞ୍ଚି ରହିବା ପାଇଁ ହାଇଡ୍ରୋଜେନ୍‌ ଏବଂ କାର୍ବନ ଡାଇଅକ୍ସାଇଡ୍‌ ଉପରେ ନିର୍ଭର କରିଥାନ୍ତି। ସେମାନଙ୍କର ମଳରୁ ମିଥେନ ଗ୍ୟାସ୍‌ ନିର୍ଗତ ହୋଇଥାଏ। ପୂର୍ବରୁ ମଙ୍ଗଳରେ ଜୀବନସତ୍ତା ଥିଲା। ଏହା ମଙ୍ଗଳର ଗଠନାତ୍ମକ ସଂରଚନାରୁ ପ୍ରମାଣିତ ହୋଇଥିବା ପ୍ରଫେସର ରେବେକା ମିକୋଲ କହିଛନ୍ତି। ମଙ୍ଗଳର ବାୟୁମଣ୍ଡଳରେ ଥିବା ମିଥେନ୍‌ ଜୀବନ ସତ୍ତା ଲୋପ ପାଇବା ପରେ ମିଥାନୋଜେନ୍ସ୍‌ ସୁକ୍ଷ୍ମ ଜୀବଙ୍କ ଦ୍ୱାରା କୋଟି କୋଟି ବର୍ଷ ଧରି ସୃଷ୍ଟି ହେଉଥିବା ସେ କହିଛନ୍ତି।

Share