ନିର୍ବାଚନ ମଇଦାନରେ ୪ ଖବରଦାତାଙ୍କ ଲଢେଇ

ଜୁନାଗଡ଼,୧୫।୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୪ଜଣ ଖବରଦାତା ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ଦୀର୍ଘ ଦିନରୁ ସାମ୍ବାଦିକତା ବୃତ୍ତି ଆପଣାଇ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆଣୁଥିଲେ। ବର୍ତ୍ତମାନ ସେମାନେ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟତର କରିବା ସହ ଗ୍ରାମାଞ୍ଚଳର ବିକାଶ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଜୁନାଗଡ ବ୍ଲକ ଜିଲାର ଏକ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ବ୍ଲକ ଭାବେ ସତନ୍ତ୍ର ପରିଚୟ ରହିଛି। ଏଠାରେ ୩୪ଟି ପଞ୍ଚାୟତ ମଧ୍ୟରୁ ୩ଟି ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୪ ଖବରଦାତା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସେଥିମଧ୍ୟରୁ ମୁଣ୍ଡରାଗୁଡା ପଞ୍ଚାୟତ ସମିତି ସଭ୍ୟ ଭାବେ ଖବରଦାତା ସୁନ୍ଦର ମୋହନ ଛତ୍ରିଆ ପ୍ରାର୍ଥୀ ହୋଇ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଜିତିବା ପାଇଁ ପ୍ରତ୍ୟେକଙ୍କ ନିକଟତର ହେଉଛନ୍ତି। ଦୀର୍ଘ ଦିନରୁ ଲୋକଙ୍କ ସୁଖଦୁଃଖକୁ ଲୋକଲୋଚନକୁ ଆଣି ଯେଉଁ ସମ୍ପର୍କ ବଢାଇଛନ୍ତି ତାହାକୁ ପାଥେୟ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ସେହିପରି ଉକ୍ତ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ଖବରଦାତା ଅଂଶୁମାନ ଯୋଶୀ ମଧ୍ୟ ସରଳ ବିଶ୍ୱାସୀ ଓ ସମାଜସେବୀ ଭାବେ ଲୋକଙ୍କ ପ୍ରିୟଭାଜନ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଏହି ବ୍ଲକର ଅନ୍ୟତମ ପଲାସ ପଞ୍ଚାୟତରୁ ବରିଷ୍ଠ ଖବରଦାତା ପ୍ରଭାକର ସେଠୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଖବରଦାତା ସେଠି ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ ଥିବା ବେଳେ ନିଜ କଲମ ମାଧ୍ୟମରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

ସେହିପରି ଦାସିଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ଖବରଦାତା ଟିକଚନ ବାଗ ଛିଡା ହୋଇଛନ୍ତି। ସେ ମଧ୍ୟ ଅଞ୍ଚଳରେ ଜଣେ ଦକ୍ଷ ଓ ନିରପେକ୍ଷ ଖବରଦାତା ଭାବେ ଦାୟିତ୍ୱ ତୁଲାଇ ଦୀର୍ଘ ଦିନ ହେଲା ଲୋକଙ୍କ ସମସ୍ୟା ସମାଧାନ କରିଆସୁଛନ୍ତି, ଯାହା ଉକ୍ତ ପଞ୍ଚାୟତରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ତାଙ୍କ ବିଜୟରେ ସହଜ ହେବ ବୋଲି ସେ କହିଛନ୍ତି।