ଝଲସୁଛି ୪ ପୋଖରୀ

ବାରିପଦା,୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ନୂଆ ରୂପରେ ଝଲସୁଛି ବାରିପଦା ସହରର ୪ ପୋଖରୀ। ବହୁ ପୁରାତନ ଚାପଲ ପୋଖରୀ, ବଡ଼ ପୋଖରୀ, ଜୁବୁଲୀ ପୋଖରୀ ଓ ହେମସାଗର ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାରିପାଶର୍‌ବିକ ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପନ୍ନ ପରେ ସୋମବାର ସାରେ ଲୋକାର୍ପିତ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳିକା ସୀମା ଦାସ, ନିର୍ବାହୀ ଅଧିକାରୀ ବସନ୍ତ ସେଠୀ ଓ କାଉନ୍‌ସିଲରଗଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଲୋକାର୍ପିତ କରିଥିଲେ। ସହରର ମଧ୍ୟ ଭାଗରେ ଥିବା ଗାନ୍ଧୀ ପାର୍କର ଉଭୟ ପାଶ୍ବରେ ଥିବା ବଡ଼ ପୋଖରୀ ଓ ଚାପଲ ପୋଖରୀ ଯଥାକ୍ରମେ ୧.୭୮ ଓ ୧.୪୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଜୁବୁଲୀ ପାର୍କ ନିକଟରେ ଥିବା ପୋଖରୀ (୧) ଓ ଜଗନ୍ନାଥ ମନ୍ଦିର ନିକଟ ହେମସାଗର ପୋଖରୀ ପାଇଁ ଯଥାକ୍ରମେ ୯୪.୪୩ଲକ୍ଷ ଓ ୧.୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର, ପଥର ପ୍ୟାକିଂ, ବ୍ୟାରିକେଟ, ଉଦ୍ୟାନ, ଚଲାପଥ, ବିଶ୍ରାମ ସ୍ଥଳ ଓ ଶୌଚାଳୟ ଆଦିରେ ବିନିଯୋଗ ପରେ ନୂଆ ରୂପ ପାଇଛି। ସୂଚନା ଥାଉକି, ସହରାଞ୍ଚଳ ଉନ୍ନୟନ ପାଣ୍ଠିରେ ଏହି ଚାରୋଟି ପୋଖରୀ ସମେତ ମୋଟ ସାତଟି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି।