ନୂଆ ଭୋଟର ହେବା ପାଇଁ ବର୍ଷକୁ ୪ଥର ସୁଯୋଗ

ଭଦ୍ରକ ଅଫିସ,୩।୮:  ଫଟୋ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ସୋମବାର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ପହିଲାଠାରୁ ଶୁଭାରମ୍ଭ କରାଯାଉଥିବା ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବଗତ ଉଦ୍ଦେଶ୍ୟରେ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ରାମଦାସ ଟୁଡ଼ୁ, ଉପଜିଲାପାଳ ମନୋଜ ପାତ୍ର ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଆଇନ୍‌ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକ ପ୍ରତିନିଧି ଆଇନ୍‌ ୧୯୫୦/୫୧ର ପରିବର୍ତନ କରାଯାଇ ସଂଶୋଧିତ ଭୋଟର ପଞ୍ଜୀକରଣ ଆଇନ୍‌ – ୨୦୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜୀକରଣ ଫର୍ମର କାର୍ଯ୍ୟକାରୀତା ସମ୍ବନ୍ଧରେ ଜିଲାପାଳ ସୂଚନା ପ୍ରଦାନ କରିବା ପରେ ଉପଜିଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ପରିବର୍ତନ ଅନୁଯାୟୀ ପୂର୍ବରୁ ନୂଆ ଭୋଟରଙ୍କ ପଞ୍ଜୀକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରଣ ସୁବିଧା ପାଇଁ ବ୍ୟବହାର କରାଯାଉଥିବା ୬ନଂ. ଫର୍ମକୁ ଏବେ କେବଳ ନୂତନ ଭୋଟଙ୍କ ପଞ୍ଜୀକରଣ ପାଇଁ ବ୍ୟବହାର କରାଯିବ। ଯୁବବର୍ଗଙ୍କ ପାଇଁ ଭୋଟର ହେବାକୁ ପୂର୍ବରୁ ବର୍ଷକୁ ଥରେ ମାତ୍ର ସୁଯୋଗ ଥିବା ବେଳେ ଏବେ ୪ଥର ସୁଯୋଗ ମିଳିପାରିବ। ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକ ମାନଙ୍କର ବୟସ ୧୮ ହେବ ସେମାନେ ପରବର୍ତ୍ତୀ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜୀକରଣ କରିପାରିବେ। ସ୍ବେଚ୍ଛାକୃତ ଭାବେ ଭୋଟରଙ୍କଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ। ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି।