ଶୂନ୍ୟ ମୃତ୍ୟୁ ସପ୍ତାହରେ ୪ ଜୀବନ ଗଲା

ବାରିପଦା ଅଫିସ,୧୧।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପରିବହନ ଓ ପୋଲିସ ପ୍ରଶାସନ ଫେଲ ମାରିଛି। ସପ୍ତାହକ ମଧ୍ୟରେ ଜିଲାର ୧୪ଟି ବ୍ଳକ ଅଞ୍ଚଳରେ ୪ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କଡ଼ା ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ସଡ଼କ ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ରୋକିବାରେ ବିଭାଗ ବିଫଳ ହୋଇଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲାରେ ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ଜିଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ପ୍ରୟାସ ଜାରି ରହିଥିଲା। ସପ୍ତାହକ ମଧ୍ୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗାଡ଼ି ଚାଳକଙ୍କଠାରୁ ମୋଟ ୨୨ଲକ୍ଷ ୯୪ହଜାର ୧୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଦ୍ରୁତ ଗତିରେ ଗାଡ଼ି ଚାଳନା ନେଇ ୧୭୪ଟି, ବିନା ହେଲମେଟରେ ଗାଡ଼ି ଚାଳନାରେ ୨୧୯ ଓ ପୋଲିସ ପକ୍ଷରୁ ୧୪୧୩ଟି, ଦ୍ରୁତ ଚାଳନାରେ ୧୦୧ଟି, ବିନା ସିଟ ବେଲ୍ଟରେ ପରିବହନ ବିଭାଗ ପକ୍ଷରୁ ୩୯ଟି, ମୋବାଇଲ କଥାବାର୍ତ୍ତାରେ ପରିବହନ ବିଭାଗ ପକ୍ଷରୁ ୯ଟି , ମଦପିଇ ଗାଡ଼ି ଚଳାଇବାରେ ପରିହନ ବିଭାଗ ପକ୍ଷରୁ ୨୦ ଓ ପୋଲିସ ପକ୍ଷରୁ ୧୩ଟି, ଦ୍ରବ୍ୟ ପରିବହନ ଗାଡ଼ିରେ ଯାତ୍ରୀ ପରିବହନକୁ ନେଇ ବିଭାଗ ପକ୍ଷରୁ ୧ଟି, ଓଭରଲୋଡ୍‌କୁ ନେଇ ୩ଟି, ୩ଜଣ ବସି ଗାଡ଼ି ଚଳାଇବାରେ ବିଭାଗ ପକ୍ଷରୁ ୨୩ଟି, ଭୁଲ ରାସ୍ତାରେ ଗାଡ଼ି ଚାଳନାକୁ ନେଇ ୧୬ଟି, ନାବାଳକ ଗାଡ଼ି ଚାଳନାରେ ବିଭାଗ ପକ୍ଷରୁ ୫ଟି ଏବଂ ବିଭିନ୍ନ କାରଣରୁ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ୭ଦିନ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ ମୋଟ ୫୫୦ଟି ଓ ପୋଲିସ ପକ୍ଷରୁ ୧୪୩୪ଟିକୁ ମିଶାଇ ମୋଟ ୧୯୮୪ଟି ଚାଲାଣ କଟାଯାଇଛି। ଏହି ସବୁ ବାବଦରେ ପରିବହନ ବିଭାଗ ପକ୍ଷରୁ ୭୮ହଜାର ୫୧୦ଟଙ୍କା ଓ କାର୍ଯ୍ୟାଳୟ ଏବଂ ଅନଲାଇନ ଯୋଗେ ୧୦ଲକ୍ଷ ୫୫ହଜାର ଟଙ୍କାକୁ ମିଶାଇ ମୋଟ ୧୧ଲକ୍ଷ ୩୩ହଜାର ୫୧୦ଟଙ୍କା ଏବଂ ପୋଲିସ ପକ୍ଷରୁ ଘଟଣାସ୍ଥଳରୁ ୧୧ଲକ୍ଷ ୬୦ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ତେବେ ମଦ୍ୟପାନ କରି ଗାଡ଼ି ଚଳାଇବା ବାବଦରେ ୧୦ହଜାର ଜରିମାନା ଓ ନାବାଳକ ଗାଡ଼ି ଚାଳନାରେ ଜରିମାନା ବାବଦରେ ୨୫ହଜାର ପୈଠ କରିବାକୁ ନେଇ ଉଭୟ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି। ତେବେ ଉଭୟ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।