କଳାଯାଦୁରେ ପୁଅକୁ ଖୋଜିବାକୁ କହି ୪ଲକ୍ଷ ଠକେଇ

କାକଟପୁର,୭।୧୦(ଡି.ଏନ୍‌.ଏ.): କାକଟପୁର ଥାନା ଅଧୀନ ଜଣେ ବ୍ୟକ୍ତିଙ୍କ ନିଖୋଜ ପୁଅକୁ କଳାଯାଦୁ ଦ୍ୱାରା ଖୋଜି ଦେବାକୁ କହି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେ ହେଲେ ନୟାହାଟ ଫାଣ୍ଡି ଅଧୀନ ଗୋପ ବ୍ଲକ ଷୋଳପୁର ଗ୍ରାମର ରାଜକିଶୋର ମଲ୍ଲିକ। ଏ ନେଇ ପୋଲିସ ଏକ ମାମଲା(ନଂ.୨୩୭/୨୧) ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, କାକଟପୁର ବ୍ଲକର ପଥରପକା ଗ୍ରାମର ଭୀମସେନ ସ୍ବାଇଁଙ୍କ ପୁଅ ବର୍ଷେ ତଳେ ଘରୁ କୁଆଡ଼େ ଚାଲିଯାଇଛନ୍ତି। ବାପା, ମା ପୁଅକୁ ଖୋଜି ନୟାନ୍ତ ହେବା ପରେ ଦିନେ ନୟାହାଟରେ ରାଜକିଶୋରଙ୍କ ସହିତ ଏମିତି କଥାବାର୍ତ୍ତାରୁ ଚିହ୍ନା ହୁଏ। ଭୀମସେନ ନିଜ ପୁଅ ହଜିବା ବିଷୟରେ କହିବା ପରେ ରାଜକିଶୋର ଶୁଣି କଳାଯାଦୁ ସାହାଯ୍ୟରେ ପୁଅର ଠିକଣା ମିଳିଯିବ ବୋଲି କହିଥିଲେ। ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ ହେବ କହିବାରୁ ଭୀମସେନ ରାଜି ହୋଇଥିଲେ। ରାଜକିଶୋର ଧୀରେ ଧୀରେ କରି ଭୀମସେନଙ୍କଠାରୁ ପ୍ରାୟ ୪ଲକ୍ଷ ୨୦ ହଜାର ଟଙ୍କା ନେଇଯାଇଥିଲେ। ଏହାପରେ ମଧ୍ୟ ପୁଅର କୌଣସି ପତ୍ତା ନ ମିଳିବାରୁ ଭୀମସେନ ଠକେଇର ଶିକାର ହୋଇଥିବା ଜାଣି ଗ୍ରାମଲୋକଙ୍କୁ ଜଣାଇଥିଲେ। ପରେ ଭୀମସେନ ଗ୍ରାମବାସୀଙ୍କ ସାହାଯ୍ୟରେ ରାଜ କିଶୋରଙ୍କୁ ଧରି ପୋଲିସ ଜିମା ଦେଇଥିଲେ।