୪ କି.ମି. ପାହାଡ଼ ଚଢ଼ି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

ନନ୍ଦାହାଣ୍ଡି,୨୨।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଅପହଞ୍ଚ ବିଚ୍ଛିନ୍ନାଞ୍ଚଳ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତର ପୁଟଘରରେ ପହଞ୍ଚତ୍ ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ବିଡିଓ ଏଇଇ ଶଙ୍କର ବୁଡ଼େକଙ୍କ ସହିତ ୪ କି.ମି. ପାହାଡ଼ ଚଢ଼ି ସେଠାରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତାହାର ସମଧାନ କରିବା ନେଇ ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ପାହାଡ଼ ଘେରା ରାସ୍ତା ବିହୀନ ଗାଁ ଝାଡ଼ବନ୍ଧଗୁଡ଼ାରେ ରହିଛି ମାତ୍ର ୫ଟି ଘର। ଏଠାରେ ୧୬ ଜଣ ଅଧିବାସୀ ରୁହନ୍ତି। ସରକାରୀ ତାଲିକାରେ ଏହା ରାଜସ୍ବ ଗ୍ରାମର ମାନ୍ୟତା ପାଇଛି, କିନ୍ତୁ ଏବେ ବି ଆଦିମ ଅଧିବାସୀଙ୍କ ଭଳି ଜୀବନ ଯାପନ କରୁଛନ୍ତି ସେଠାକାର ଲୋକେ। ବଣଜଙ୍ଗଲ ଏବଂ ପାହାଡ଼ ଉପରେ ଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହିଥାଏ। ହିଂସ୍ରଜନ୍ତୁଙ୍କ ଆକ୍ରମଣରେ ଗ୍ରାମବାସୀ ଆହତ ହୋଇଥିବା ବେଳେ ଅନେକ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ହୋଇଛି। ରାସ୍ତାଘାଟ ନ ଥିବା ଏବଂ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇପାରୁନାହିଁ। କିଛି ବର୍ଷ ତଳେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ମରାମତି ଅଭାବରୁ ତାହା ଅଚଳ ହୋଇପଡ଼ିଛି। ପାହାଡ଼ ଉପରେ ଥିବାରୁ ପାଣିର ଅସୁବିଧା ବି ଦେଖାଦେଉଛି। ଲୋକଙ୍କ ସମସ୍ୟା ଜାଣିବାକୁ ନୂତନଭାବେ ଦାୟିତ୍ୱ ନେଇଥିବା ବିଡିଓ ସାହୁ ଏଇଇ ବୁଡ଼େକଙ୍କ ସହିତ ପ୍ରାୟ ୪ କିଲୋମିଟର ବାଟ ପାହାଡ଼ ଚଢ଼ି ପୁଟଘରକୁ ଯାଇଥିଲେ। ଅତିଶୀଘ୍ର ସୋଲାର ଲାଇଟ ପୁନଃ କାର୍ଯ୍ୟକ୍ଷମ କରିବା, ପାନୀୟଜଳ ସମସ୍ୟାର ସମାଧାନ, ପେନ୍‌ସନ ପାଉ ନ ଥିବା ହିତାଧିକାରୀଙ୍କୁ ପେନ୍‌ସନ ଯୋଗାଇବା ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାସ୍ତା ନିର୍ମାଣ କରିବାର ପ୍ରତିଶ୍ରୁତି ବିଡିଓ ଦେଇଥିଲେ। ଆଗାମୀ ଦିନରେ ସରକାରଙ୍କ ଅନ୍ୟ ଯୋଜନା ସବୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଏହିଭଳି ଏକ ଦୁର୍ଗମ ଅପହଞ୍ଚ ଗ୍ରାମକୁ ଯାଇ ନିଜର କର୍ତ୍ତବ୍ୟ ପରିଚାଳନା କରିଥିବାରୁ ଲୋକେ ବିଡିଓଙ୍କୁ ପ୍ରଶଂସା କରିଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଏବଂ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ଅଞ୍ଚଳର ବିକାଶ କରିବା ମୋର କର୍ତ୍ତବ୍ୟ। ଲୋକଙ୍କ ସମସ୍ୟା ସମାଧାନ କରିବା ନେଇ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।