୪ ହାତୀଦାନ୍ତ ଜବତ, ଶିକାରୀ ଗିରଫ

ବାରିପଦା ଅଫିସ,୨୨।୪: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା ଦୁଇ ଦନ୍ତାହାତୀର ଦୁଇଯୋଡ଼ା ଦାନ୍ତକୁ ବନବିଭାଗ ଜବତ କରିଛି। ବନକର୍ମଚାରୀମାନେ ଗ୍ରାହକ ସାଜି ଦାନ୍ତ କିଣିବାକୁ ଯାଇ ଏକ ଢାବାରୁ ମୂଲ୍ୟବାନ ଦାନ୍ତଗୁଡ଼ିକୁ ଜବତ କରିବାରେ ସଫଳ ହୋଇଛନ୍ତି। ଏହା ସହିତ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯଶିପୁର ଥାନା ଅଧୀନ ବାଗଡେଗା ଗଡଶିମିଳିପାଳର ରଘୁନାଥ ପିଙ୍ଗୁଆ (୩୧)। ଏ ସଂକ୍ରାନ୍ତରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗନେନି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ୨୦୨୨ ଡିସେମ୍ବର ୭ ଓ ୨୦୨୩ ଫେବୃଆରୀ ୯ରେ ଦୁଇଟି ଦନ୍ତାହାତୀକୁ ଶିକାର କରାଯାଇଥିଲା। ଡିଭିଜନର ଜେନାବିଲ ରେଞ୍ଜ ଅଧୀନ ଗୁରୁଣ୍ଡିଆ ସେକ୍ସନରେ ଏକ ଦନ୍ତାହାତୀକୁ ଶିକାର କରାଯାଇଥିବା ବେଳେ ପିଠାବଟା ରେଞ୍ଜ ବାଲିଖାଳ ସେକ୍ସନ ଗୋପୀନାଥପୁର ବିଟ୍‌ ଅଞ୍ଚଳରେ ଅନ୍ୟ ଏକ ହାତୀର ଦାନ୍ତ ସହ ଶୁଣ୍ଢକାଟି ଶିକାରୀମାନେ ନେଇଯାଇଥିଲେ। ଏହାକୁ ନେଇ ବନବିଭାଗର ତଦନ୍ତ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଶିକାରୀଙ୍କଠାରୁ ଦାନ୍ତ କିଣିବାକୁ ଯୋଜନା ପ୍ରସ୍ତୁତ କରିଥିଲେ।