ନୂଆଦିଲ୍ଲୀ,୨୧ା୧୧: ଭାରତୀୟ ବାୟୁସେନାର ୩୬ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ୪ଟି କମ୍ ରହିଥିବା ନେଇ ବ୍ରିଟିଶ୍ ବିମାନ ଚଳାଚଳ ସଂସ୍ଥାର ଏକ ପତ୍ରିକାରେ ରିପୋର୍ଟ କରାଯାଇଥିବାବେଳେ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶାଲ ନର୍ମଦେଶ୍ୱର ତିଓ୍ବାରୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଗତବର୍ଷ ଅପରେଶନ ସିନ୍ଦୂର ସମୟରେ ତିଓ୍ବାରୀ ବାୟୁସେନାରେ ଉପମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ରିପୋର୍ଟ ଅନୁଯାୟୀ ଭାରତ ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧବିମାନ କିଣିିଛି। ତେବେ ଫ୍ଲାଇଟ୍ଗ୍ଲୋବାଲର ସଦ୍ୟ ବିଶ୍ୱ ବାୟୁସେନା ଅଭିଧାନରେ ଭାରତରେ କାର୍ଯ୍ୟକାରୀ ଥିବା ରାଫେଲ ସଂଖ୍ୟା ୩୨ ଦେଖାଉଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ ରାଫେଲ ଜେଟ୍ ସଂଖ୍ୟା ହ୍ରାସ ସମ୍ପର୍କରେ ଏହି ସଂସ୍ଥା କୌଣସି ସ୍ପଷ୍ଟୀକରଣ କିମ୍ବା ପ୍ରମାଣ ଦେଇନାହିଁ।
ଅବସରପ୍ରାପ୍ତ ଏୟାର ମାର୍ଶାଲ ନର୍ମଦେଶ୍ୱର ତିଓ୍ବାରୀ ଉକ୍ତ ସଂଖ୍ୟାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିବା ସହ ଆଭିଏଶନ ମାଗାଜିନ୍ର ସୂତ୍ରର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅପରେଶନ ସିନ୍ଦୂର ପରେ ଫ୍ଲାଇଟ୍ ଗ୍ଲୋବାଲ ଗତବର୍ଷ ପ୍ରକାଶ କରିଥିବା ରିପୋର୍ଟରେ ୩୫ଟି ସକ୍ରିୟ ରାଫେଲ ଥିବା ଦର୍ଶାଇଥିଲା। ଫ୍ଲାଇଟ ଗ୍ଲୋବାଲ ଏହାର ସୂତ୍ରଗୁଡ଼ିକର ପୁନଃ ମୂଲ୍ୟାୟନ କରୁ ବୋଲି ତିଓ୍ବାରୀ ‘X’ରେ ଲେଖିଛନ୍ତି। ସେହି ସମାନ ସୂତ୍ରଗୁଡ଼ିକ ଗତବର୍ଷ ପାକିସ୍ତାନ ସହ ସଂଘର୍ଷ ସମୟରେ ଖସାଇ ଦିଆଯାଇଥିବା ତଥାକଥିତ ରାଫେଲ ବିମାନର ଟେଲ୍ ନମ୍ବର ଦେଇଥିଲେ। ତେବେ ସେହି ଟେଲ୍ ନମ୍ବର ଥିବା ଯୁଦ୍ଧବିମାନ ବିଭିନ୍ନ ଅନ୍ତର୍ଜାତୀୟ ସମରାଭ୍ୟାସରେ ଭାଗ ନେଉଥିବା ବାୟୁସେନାର ପୂର୍ବତନ ଉପମୁଖ୍ୟ କହିଛନ୍ତି।