ଭୋଗରାଇ, ୩ ।୮ ( ପ୍ରଦୀପ ଦାସ ): ଗାଙ୍ଗେୟ ସମତଳ ଅଞ୍ଚଳରେ ଘୂର୍ଣ୍ଣବଳୟ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଏଭଳି ସ୍ଥିତିରେ ବାଲେଶ୍ୱରଜିଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ମୁହାଁଣରୁ ଶନିବାର ସକାଳ ୭ ଟାରେ ଏକ ଭୁଟଭୁଟି ଯୋଗେ ୪ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଅଦ୍ୟାବଧି ସେମାନେ ନିଖୋଜ ଥିବାର ସୂଚନା ମିଳିଛି । ଏହି ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ଠାବ କରିବା ନିମନ୍ତେ ବାଲେଶ୍ୱର ଜିଲା ତାଳସାରୀ, ବାହାବଳପୁର, କଷାଫଳ ମେରାଇନଥାନା ସହ ପଶ୍ଚିମବଙ୍ଗ ଦୀଘା, ମନ୍ଦାରମଣୀ ମେରାଇନଥାନା, ଅଗ୍ନିଶମ ବିଭାଗ, ମତ୍ସ୍ୟ ବିଭାଗ ଓ ଓଡ୍ରାଫ ଟିମ ଆକାଶ ପଥରେ ଡ୍ରୋନ, ସ୍ପିଡି ବୋଟ ଓ ଟ୍ରଲରର ମାଧ୍ୟମରେ ସମୁଦ୍ରରେ ତଲାସୀ ଜାରିରଖିଛନ୍ତି । ନିଖୋଜ ଥିବା ମତ୍ସ୍ୟଜୀବୀ ହେଲେ କଙ୍କଡ଼ାପାଳ ଗ୍ରାମର ଡ଼ଙ୍ଗା ମାଲିକ ମଧୁସୂଦନ ଗିରି, ବାପା ଗୋପାଳ ଗିରି, ବଡଭାଇ ରବୀନ୍ଦ୍ର ଗିରି, ଶାଳକ ଜଗନ୍ନାଥ ପାଳ । ଅନ୍ୟ ଡ଼ଙ୍ଗା ଗୁଡିକ କୂଳକୁ ଫେରିଆସିଥିବା ବେଳେ ୪ ମତ୍ସ୍ୟଜୀବୀଙ୍କ ପରିବାର ଆଶା ଓ ଆଶଙ୍କାରେ ରହିଛନ୍ତି ।


