Categories: ଜାତୀୟ

ଇତିହାସ ରଚିଲେ ୪ ମହିଳା ପାଇଲଟ

ବେଙ୍ଗାଲୁରୁ,୧୧।୧: ଏୟାର ଇଣ୍ଡିଆର ୪ ମହିଳା ପାଇଲଟ ଇତିହାସ ରଚିଛନ୍ତି। ସେମାନେ ସାନ୍‌ ଫ୍ରାନ୍ସିସ୍‌ସ୍କୋରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର କିଲୋମିଟର ବିମାନ ଉଡ଼ାଣ କରିଛନ୍ତି। ଉତ୍ତର ମେରୁ ଦେଇ ସେମାନେ ଏହି ଉଡ଼ାଣ କରିଛନ୍ତି। ସୋମବାର ଭୋର୍‌ ୩ଟା ୪୫ରେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୬ କର୍ନାଟକର ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି। ବିମାନଟି ସାନ୍‌ ଫ୍ରାନ୍ସିସ୍‌ସ୍କୋରୁ ଶନିବାର ରାତ୍ର ୮ଟା ୩୦ରେ ଯାତ୍ରା ଆରମ୍ଭ କରିଥିଲା। ଏନେଇ କ୍ୟାପଟେନ୍‌ ଜୋୟା ଅଗ୍ରଓ୍ବାଲ କହିଛନ୍ତି ଯେ, ଏଭଳି କରି ଆମେ ବିଶ୍ୱ ଇତିହାସ ରଚିଛୁ। ଏହି ବାୟୁମାର୍ଗରେ ସଧାସଳଖ ବିମାନ ଯାତ୍ରା କରିବା ଦ୍ୱାରା ୧୦ ଟନ୍‌ ଇନ୍ଧନ ସଞ୍ଚୟ ହୋଇପାରିଛି। ଏହି କାର୍ଯ୍ୟରେ ମୋ ସହଯୋଗୀମାନେ ସହାୟତା କରିଛନ୍ତି। ଏହା ଏକ ଦଳଗତ କାର୍ଯ୍ୟ ବୋଲି ସେ କହିଛନ୍ତି। ଜୋୟାଙ୍କ ସହିତ କ୍ୟାପଟେନ୍‌ ପାପାଗାରୀ ଥାନମାଇ, ଅଙ୍କାଶା ସୋନାଓ୍ବାରେ ଏବଂ ଶିବାନୀ ମନହାସ୍‌ ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଥିଲେ। ଏହି ସଫଳତା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଭାରତୀୟ ନାରୀଶକ୍ତି ଇତିହାସ ରଚିଥିବା ଟୁଇଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ, ଏହି ବାୟୁମାର୍ଗରେ ଯାତ୍ରା କରିବାରେ ଏୟାର ଇଣ୍ଡିଆ ପ୍ରଥମ ଏୟାର ଲାଇନ୍ସ୍‌ ମାନ୍ୟତା ହାସଲ କରିବାକୁ ସକ୍ଷମ ହୋଇଛି।

Share