ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି। ସ୍ଥାନୀୟ ପ୍ରଶାସନ ଓ ଚାଷୀ ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ପରେ ସାରେ ଆମରଣ ଅନଶନକୁ ସାମୟିକ ଭାବେ ପ୍ରତ୍ୟାହାର କରାଯାଇଛି।

ଚାଷୀଙ୍କ ଦାବିଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ୪ ଦିନର ସମୟ ମାଗିବା ପରେ ଚାଷୀମାନେ ଆମରଣ ଅନଶନ ପ୍ରତ୍ୟାହୃତ କରିଥିଲେ ମଧ୍ୟ ଗଣଧାରଣା ଜାରି ରହିବ ବୋଲି କୁହାଯାଇଛି। ଧାନ ବିକ୍ରି ପାଇଁ ପି-ପାସ୍‌ ପୋର୍ଟାଲରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ବିକଳ୍ପ ଆସି ନ ଥିବାରୁ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀମାନେ ୧୫ ଦିନ ହେବ କୃଷକ ସଂଘର ସଭାପତି ପୁରୁଷୋତ୍ତମ ଗୁପ୍ତାଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସେଥିମଧ୍ୟରୁ ୨ଦିନ ହେଲା ୩ ବ୍ଲକର ୯ ଜଣ ଚାଷୀ ଅନଶନରେ ବସିଥିଲେ। ଅଞ୍ଚଳରେ ଉତ୍ତେଜନା ଓ ଚାଷୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପ ଜିଲାପାଳ ପ୍ରେକ୍ଷା ଅଗ୍ରୱାଲ, କୋକସରା ବିଡ଼ିଓ ଡ. ହିମାଞ୍ଚଳ ମାଝୀ, କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପ୍ରମୁଖ ଅନଶନ ସ୍ଥଳରେ ପହଞ୍ଚି ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ଯେ, ରବି ଋତୁ ଧାନ ବିକ୍ରି ନିମନ୍ତେ ପି-ପାସ ପୋର୍ଟାଲ ଖୋଲିବା ଓ ପଞ୍ଜିକରଣ ଜନିତ ସମସ୍ୟାର ସମାଧାନ ଆସନ୍ତା ୪ ଦିନ ମଧ୍ୟରେ କରାଯିବ ବୋଲି କୁହାଯାଇଛି।

ପ୍ରଶାସନ ସହିତ ଆଲୋଚନା ସମୟରେ ମେଗା ଉଠାଜଳସେଚନ କୃଷକ ସଂଘର ସଭାପତି ପୁରୁଷୋତ୍ତମ ଗୁପ୍ତା, ବରିଷ୍ଠ ଆଇନଜୀବୀ ଦିଗମ୍ୱର ଦୁରିଆ, ପ୍ରଶାନ୍ତ ତିୱାରୀ, ଗୋବର୍ଦ୍ଧନ ବାଗ, ତ୍ରିଭୁବନ ନାଏକ, ଜୟଲାଲ ନାଏକ, ରବିନାରାୟଣ ଦାସ ସମେତ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ।

ଫଟୋ: ଜିଲାପାଳ ଓ ଧର୍ମଗଡ଼ ଉପଜିଲାପାଳ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି।

Share