ଜଙ୍ଗଲରୁ ମିଳିଲା ୪ ମଇଁଷି ଛୁଆଙ୍କ ମୃତଦେହ: ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨୬ା୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚାରୋଟି ମଇଁଷିଙ୍କ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ଗତ ୨୪ ତାରିଖ ରାତିରେ ଏହି ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବାଘ ମାରିଥିବା ଆଶଙ୍କା କରାଯାଇଛି। ଉକ୍ତ ଜଙ୍ଗଲରେ ଗତ ଏକ ମାସ ତଳେ ମହାବଳ ବାଘ ବିଚରଣ କରୁଥିବା ଟ୍ରାପ୍‌ କ୍ୟାମେରାରେ ଫଟୋ ମିଳିଥିଲା। ତେବେ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ବାଘ ଆକ୍ରମଣ ଆଶଙ୍କା କରାଯାଉଥିଲେ ହେଁ ସଠିକ୍‌ ଭାବରେ କେଉଁ ବାଘ ଆକ୍ରମଣ କରିଛି ସଠିକ୍‌ ଜଣାପଡୁନାହିଁ ବୋଲି ଘଟଗାଁ ରେଞ୍ଜ୍‌ ଅଧିକାରୀ ପ୍ରଭାତ କୁଅଁର କହିଛନ୍ତି। ତେବେ ଉକ୍ତ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରା ଉପରେ ନଜର ରଖାଯାଇଛି।

ପ୍ରକାଶ ଯେ, ଘଟଗାଁ ରେଞ୍ଜ ବଡ଼ଜାମୁପଶି ଗ୍ରାମର ଜଣେ ଲୋକଙ୍କ ୨୨ଟି ମଇଁଷି ୨୪ ତାରିଖ ସନ୍ଧ୍ୟାରେ ଜଙ୍ଗଲକୁ ଚାଲିଯାଇଥିଲେ। ସେଥିରୁ ଏହି ମଇଁଷି ଦଳରେ ଥିବା ୪ଟି ମଇଁଷି ଛୁଆକୁ ବାଘ ମାରିଦେଇଥିବା ବେଳେ ଅନ୍ୟ ମଇଁଷି ଭୟଭୀତ ହୋଇ ରାତିରେ ଗୋଠକୁ ପଳାଇ ଆସିଥିଲେ। ମୃତଦେହ ମିଳିବା ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାଟିରେ ପୋତି ଦେଇଛନ୍ତି। ସେହିପରି ଉକ୍ତ ବାଘର ସ୍ଥିତିକୁ ଅନୁଧ୍ୟାନ କରିବାକୁ ଉକ୍ତ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ରେକର୍ଡ ହୋଇଥିବା ଫଟୋ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମୃତ ମଇଁଷିର ମାଲିକ ବଡ଼ଜାମୁପଶି ଗ୍ରାମର ଶୁକଦେବ ବାରିକଙ୍କୁ ବନ ବିଭାଗ ୨୦ ହଜାର ଟଙ୍କା କ୍ଷତିପୂରଣ ଦେଇଥିବା ବେଳେ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ନ ଯିବାକୁ ସଚେତନ କରାଯାଇଛି ବୋଲି ଡିଏଫ୍‌ଓ, କେନ୍ଦୁଝର ଧନରାଜ ଏଚ୍‌.ଡି କହିଛନ୍ତି।

ସୂଚନାଯୋଗ୍ୟ, ୫୫ ଟ୍ରାପ୍‌ କ୍ୟାମେରା ଜଙ୍ଗଲ ମଧ୍ୟରେ ଲଗାଯାଇଥିଲେ ହେଁ ବାଘର ସ୍ଥିତି କିପରି ଜଣାପଡୁନାହିଁ ତାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ବାଘର ପାଦ ଚିହ୍ନ ଦେଖି ବନ ବିଭାଗ ବାଘର ଉପସ୍ଥିତିକୁ ସନ୍ଦେହ କରୁଛି।