୪ଟି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର

ଡେରାବିଶ,୩୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗ୍ରାମର ୫ ଜଣ ଅଭିଯୋଗକାରୀଙ୍କ ନାମରେ ୪ଟି ମାମଲା କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ହେଲେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛନ୍ତି। ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବ ରହୁଥିବା କାରଣରୁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ବେଲାରପୁର ଗ୍ରାମର ନିରଞ୍ଜନ କରଙ୍କ ପୁଅ ରଞ୍ଜନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଗ୍ରାମରେ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଉଛନ୍ତି। ଏପ୍ରିଲ ୧୪ରେ ରଞ୍ଜନ ମନ୍ଦ ଉଦ୍ଦେଶ୍ୟରେ ସେହି ଗ୍ରାମର ମନ୍ମଥ ମହାନ୍ତିଙ୍କ ସ୍ତ୍ରୀ କବିତାଙ୍କ ଘର ବାହାରେ ପରିସ୍ରା କରୁଥିବା ସମୟରେ ପଛପଟୁ ଆସି ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ। କବିତା ଚିତ୍କାର କରିବାରୁ ତାଙ୍କ ତଣ୍ଟି ଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କବିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଦୌଡି ଆସିବାରୁ ରଞ୍ଜନ ଓ ତାଙ୍କ ବାପା ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କବିତାଙ୍କ ସ୍ବାମୀ ହନୁମାନ ଜୟନ୍ତୀ ପର୍ବରେ ରୋଷେଇ କରିବାକୁ ଯାଇଥିବାରୁ ସେ ୧୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପୋଲିସ୍‌ ନଂ. ୧୩୦/୨୩ରେ ମାମଲା ରୁଜୁ କରିଛି। ସେହିପରି ରଞ୍ଜନଙ୍କ ନାମରେ ୨୦ ତାରିଖରେ ବେଲାରପୁର ଗ୍ରାମର କୀର୍ତ୍ତିଞ୍ଜୟ ତ୍ରିପାଠୀଙ୍କ ଆଉ ଏକ ଅଭିଯୋଗକୁ ଭିତ୍ତିକରି ଥାନାରେ ନଂ. ୧୭୨/୨୩ରେ ମାମଲା ରୁଜୁ ହୋଇଛି। ସେହିପରି ୨୨ ତାରିଖରେ ରଞ୍ଜନଙ୍କ ନାମରେ ବେଲାରପୁର ଗ୍ରାମର ୩ଜଣ ବରିଷ୍ଠ ନାଗରିକ ଭରତ ଚରଣ ସିଂ (୬୮), ନରୋତ୍ତମ ଦାଶ (୭୨), ପ୍ରଫୁଲ୍ଲ କୁମାର ନାୟକ (୬୪) ଡେରାବିଶ ଥାନାରେ କରିଥିବା ଅଭିଯୋଗ ଆଧାରରେ ନଂ. ୧୭୪/୨୩ରେ ମାମଲା ରୁଜୁ ହୋଇଛି।
ଅଭିଯୋଗରୁ ପ୍ରକାଶ, ରଞ୍ଜନ ‘ଗୋପବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ’ ନାମରେ ଫେସ୍‌ବୁକ୍‌ରେ ଏକ ଆକାଉଣ୍ଟ ଖୋଲି ଅଭିଯୋଗକାରୀ ଉପରୋକ୍ତ ୩ଜଣଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ ଦେଇ ସୋସିଆଲ୍‌ ମିଡିଆରେ ଛାଡ଼ି ଭାଇରାଲ୍‌ କରୁଛନ୍ତି। ଏମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସମ୍ମାନରେ ହାନି ଆସୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏପରିକି ଅଭିଯୋଗକାରୀ ଭରତଙ୍କ ପୁଅ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ବୋହୂ ଜଣେ କର୍ମଜୀବୀ ମହିଳା ଭାବେ ଆମେରିକାରେ ରହି ଆସୁଛନ୍ତି। ପେସ୍‌ବୁକ୍‌ରେ ଏଭଳି ମନ୍ତବ୍ୟ ତାଙ୍କ ପରିବାର ସମ୍ମାନରେ ଆଞ୍ଚ ଆଣୁଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ରଞ୍ଜନଙ୍କୁ ପଚାରିବାରୁ ସେ ଏମାନଙ୍କୁ ଗାଳିଗୁଲଜ କରିବା ସହ ମାମଲାର ଭୟ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତ ରଞ୍ଜନ ଗ୍ରାମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଭୟଭୀତ ଗ୍ରାମବାସୀ ଥାନାରେ ୩ଟି ଅଭିଯୋଗ କରିବା ପରେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଜାନୁୟାରୀ ୧୫ରେ ସେହି ଗ୍ରାମର ଶରତ କାଣ୍ଡି ରଞ୍ଜନ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନଂ.୨୬/୨୩ରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏ ସମ୍ପର୍କରେ ଡେରାବିଶ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରୁ ସମ୍ପୃକ୍ତ ଗ୍ରାମରୁ ଆସିଥିବା ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି। ଏ ସବୁ ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ରଞ୍ଜନ ଫେରାର ଥିବାରୁ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।