ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ ଗିରଫ

ଦେବଗଡ଼,୨୮।୩(ଡି.ଏନ୍‌.ଏ.)-ନିଜକୁ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ସଦସ୍ୟ ବୋଲି କହି ପିସ୍ତଲ ଦେଖାଇ ଭୟଭୀତ କରି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳର ଜଣେ ମହିଳାଙ୍କଠାରୁ ୧ଲକ୍ଷ ଟଙ୍କା ଦାବି କରୁଥିବା ଘଟଣାରେ ସୋମବାର ପୋଲିସ ଜଣେ ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡ଼ ଜିଲା ବଣାଇ ଥାନା ଅଞ୍ଚଳର ରାକେଶ ସାହୁ (୨୫), ଅନିଲ ପାତ୍ର (୨୩) ଏବଂ ବାରକୋଟ ଥାନା ଅଞ୍ଚଳର ଲକ୍ଷ୍ମଣ କିଷାନ (୫୦) ଓ ଲକ୍ଷ୍ମଣ ମହନ୍ତ(୨୨)। ସେମାନଙ୍କ ନିକଟରୁ ୯ ଏମ୍‌ଏମ୍‌ ପିସ୍ତଲ, ୯ ରାଉଣ୍ଡ ଅଫୁଟା ଗୁଳି, ମାଗାଜିନ, ମୋବାଇଲ ଫୋନ ଜବତ କରାଯାଇଛି। ଏନେଇ ଦେବଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ୧୨ ତାରିଖ ସକାଳେ ବାରକୋଟ ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ରାକେଶ ଓ ଅନିଲ ଯାଇଥିଲେ। ସେମାନେ ନିଜକୁ ପିଏଲ୍‌ଏଫ୍‌ଆଇ ସଦସ୍ୟ ବୋଲି ପରିଚୟ ଦେଇଥିଲେ। ଜେଲରେ ଥିବା ମହିଳାଙ୍କ ସ୍ବାମୀଙ୍କୁ ମୁକୁଳାଇ ଦେବା ପାଇଁ ୧ ଲକ୍ଷ ଟଙ୍କା ମାଗିଥିଲେ। ନ ଦେଲେ ଜୀବନରୁ ମାରିଦେବା ପାଇଁ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ଭୟରେ ମହିଳା ଜଣକ ଆଗୁଆ ୧୦ ହଜାର ଟଙ୍କା ଦେଇଥିଲେ। ଏ ସମ୍ପର୍କରେ ବାରକୋଟ ଥାନାରେ ରବିବାର ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇ ରାକେଶ ଓ ଅନିଲଙ୍କୁ ଗିରଫ କରିଥିଲେ। ରାକେଶ ଧରିଥିବା ପିସ୍ତଲକୁ ଲକ୍ଷ୍ମଣ ମହାନ୍ତଙ୍କ ମାଧ୍ୟମରେ ଝରାକଣ୍ଡଳ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ କିଷାନଙ୍କୁ ଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ପୋଲିସ ଲକ୍ଷ୍ମଣ କିଷାନଙ୍କ ଘରେ ଚଢାଉ କରି ପିସ୍ତଲ ଓ ଗୁଳି ଜବତ କରିଥିଲା। ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ପି ପାଇକରାୟ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସ୍‌ପି ପ୍ରଦୀପ କୁମାର କେରକେଟ୍ଟା, ବାରକୋଟ ଥାନା ଅଧିକାରୀ କନକ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।