ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ସରିବ। କପି ରୋକିବାକୁ ନୁଆ ଫର୍ମୂଲା ସ୍ବରୂପ ଦେଢ଼ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍କୁ ଯାଇଥିଲେ ପରୀକ୍ଷାର୍ଥୀ। ଅର୍ଥାତ ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସାଢ଼େ ୭ଟାରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ୍ ମଧ୍ୟକୁ ଛଡ଼ାଯାଇଥିଲା। ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଲାଞ୍ଜିଗଡ଼, ପୋଖରୀବନ୍ଧ ଓ ଲାଞ୍ଜିଗଡ଼ ରୋଡ ଉଚ୍ଚ ବିଦ୍ୟାଳୟର ୧୮୩ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟରେ ୧୬୭ ଛାତ୍ରୀଛାତ୍ର, ଲାଞ୍ଜିଗଡ଼ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟରେ ୨୬୪ ଜଣ ଛାତ୍ରୀଛାତ୍ର, ଲାଞ୍ଜିଗଡ଼ ରୋଡ୍ ଉଚ୍ଚ ବିଦ୍ୟାଳୟରେ ୧୪୪ ଛାତ୍ରୀଛାତ୍ର, ବେନଗାଁ ଉଚ୍ଚ ବିଦ୍ୟାଳୟରେ ୧୧୬ ଜଣ ଛାତ୍ରୀଛାତ୍ର, ମୂଷାନାଳ ଉଚ୍ଚ ବିଦ୍ୟାଳୟରେ ୧୧୫ ଜଣ ଛାତ୍ରୀଛାତ୍ର, ମଧୁପୁର ଉଚ୍ଚ ବିଦ୍ୟାଳୟରେ ୧୯୨ ଜଣ ଛାତ୍ରୀଛାତ୍ର ଏବଂ ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟରେ ୧୮୩ ଜଣ ଛାତ୍ରୀଛାତ୍ର ସମେତ ମୋଟ୍ ୧୩୬୪ ଜଣ ପରୀକ୍ଷାର୍ଥୀଙ୍କ କେନ୍ଦ୍ର ଚୟନ ହୋଇଥିଲା।
ଗୁରୁବାର ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ଥିବାବେଳେ ୧୩୬୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୨୫ ଜଣ ପରୀକ୍ଷା ଦେଇଥିବା ବେଳେ କୌଣସି କାରଣରୁ ୩୯ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରର ନୋଡାଲ ସେଣ୍ଟର ଭାବେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କରାଯାଇଥିବା ବେଳେ ନୋଡାଲ ଅଫିସର ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ଏବଂ ଶିକ୍ଷା ବିଭାଗ ବିଇଓ ରୁଷିଆ ମେହେର ଦାୟିତ୍ୱରେ ଥିବା ବେଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୨୪ ଘଣ୍ଟିଆ ପୋଲିସ ପହରା ଦେଉଥିବା ଲାଞ୍ଜିଗଡ଼ ଶିକ୍ଷା ବିଭାଗ ବିଇଓ ରୁଷିଆ ମେହେରଙ୍କ ଠାରୁ ସୂଚନା ମିଳିଛି। ଏହି ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼, ବିଶ୍ୱନାଥପୁର, ବିଜେପୁର ଏବଂ ସିକେରକୁପା ପୋଲିସ ପକ୍ଷରୁ ପୋଲିସ କର୍ମଚାରୀ ଏବଂ ପୋଲିସ ବଳ ମୁତୟନ କରଯାଇଥିଲା।

