ଗୋଟିଏ ଦିନରେ ୩୮୫ ତାଲିବାନ ଆତଙ୍କବାଦୀ ମୃତ, ୨୧୦ ଆହତ…

କାବୁଲ,୭।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଗୋଟିଏ ଦିନରେ ସୈନ୍ୟ ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୩୮୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୧୦ ଆତଙ୍କବାଦୀ ଆହତ ହୋଇଥିବ। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି। ଏକାଧିକ ଟୁଇଟ୍‌ କରି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଫୱାଦ ଅମାନ ଏ ସମ୍ପର୍କରେ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ଅପରେସନ ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ନଙ୍ଗରହାର, ଲୋଗାର, ଘଜନୀ, ପାକ୍‌ଟିକା, ମଇଦାନ ୱାର୍ଡକ, କାନ୍ଧାହାର, ହେରାଟ, ଫରାହ, ଜୋଜଜନ, ସାମଙ୍ଗାନ, ହେଲମଣ୍ଡ, ତାଖର, ବାଘଲାନ ଏବଂ କପିସା ପ୍ରଦେଶରେ ଏଭଳି ଘଟିଥିବା ମୁଖପାତ୍ର କହିଛନ୍ତି। ବାୟୁସେନାର ବୋମା ମାଡ଼ ଯୋଗୁ ବହୁ ତାଲିବାନ ଶିବିର ଧ୍ୱଂସ ହୋଇଯାଇଛି। ତାଲିବାନ ସଦସ୍ୟମାନେ କାନ୍ଧାହାରର ଅନେକ ଜିଲାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ସରକାରଙ୍କ ସହ ଜଡିତ ଥିବା ଶହ ଶହ ସ୍ଥାନୀୟ ବାସିନ୍ଦାଙ୍କୁ ଅଟକ ରଖିଛନ୍ତି। କେତେକ ଅଟକ ବାସିନ୍ଦାଙ୍କୁ ହତ୍ୟା କରାଯାଇଛି। ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଦେଶର ୧,୬୫୯ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩,୨୫୪ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଦେଶର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସ୍ମିଲ୍ଲା ମହମ୍ମଦୀଙ୍କ ଘରେ କାର ବୋମା ବିସ୍ଫୋରଣ ପରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ସେମାନେ ଆଫଗାନିସ୍ତାନର ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ଜାରି ରଖିବେ।

Share