ଜୁଆଆଡ୍ଡାରେ ଚଢ଼ାଉ: ୩୮ ହଜାର ଟଙ୍କା, ୩ ବାଇକ୍‌ ସହ କାର୍‌ ଜବତ

କୁଆଁରମୁଣ୍ଡା,୮ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳ ଏବେ ଅସାମାଜିକ ଓ ଅପରାଧିକ ଗୋଷ୍ଠୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଚାରିଆଡ଼େ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ଖୁଲମ୍‌ଖୁଲା ଚାଲୁଥିଲେ ମଧ୍ୟ ପୋଲିସ ସାଜିଛି। ନୀରବଦ୍ରଷ୍ଟା କାଁଭାଁ କେତେବେଳେ ଲୋକଦେଖାଣିଆ ଭାବେ ପୋଲିସ ଚଢ଼ାଉ କରି ବାହାବା ନେବାକୁ ଚାହୁଁଛି ଓ ଜିଲା ପୋଲିସ ନିକଟରେ ନିଜର ପାରିବାପଣିଆକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଟିଆଟୋଲି ନିକଟରେ ଥିବା ଫରେଷ୍ଟ ବିଟ୍‌ ହାଉସ୍‌ ପଛପଟେ ଶନିବାର ସନ୍ଧ୍ୟାରେ ଜୁଆଖେଳର ଆସର ଜମିଥିଲା ବେଳେ ବୀରମିତ୍ରପୁର ପୋଲିସ ସେଠାରୁ ମାତ୍ର ୩୮ ହଜାର ୬ ଶହ ଟଙ୍କା ଜବତ କରିବା ସହ ମୁଠାଏ ତାସ୍‌, ଗୋଟିଏ ପଟି, ୩ବାଇକ୍‌,୨ ଦାମୀ କାର୍‌ ଓ ଗୋଟିଏ ବୋଲେରୋ ଜବତ କରିଛି। ଏହାସହ ଘଟଣାସ୍ଥଳରୁ ମାତ୍ର ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଉକ୍ତ ଜୁଆରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ମଧ୍ୟ ସେମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇପାରି ନ ଥିବା ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସର ରୋସନ ସିଂ(୨୪),ରବୀନ୍ଦ୍ର ଟପ୍ପୋ(୪୩) ଓ ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ଅଞ୍ଚଳର ବିଜୟ ତନ୍ତୀ(୩୦)। ଉକ୍ତ ଜୁଆଖେଳରେ ଲକ୍ଷାଧିକ ଟଙ୍କା ବାଜି ଲାଗିଥିବା ବେଳେ ପୋଲିସ ମାତ୍ର ୩୮ ହଜାର ୬ ଶହ ଟଙ୍କା ଜବତ କରିବା ଘଟଣାକୁ ନେଇ ମଧ୍ୟ ସାଧାରଣରେ ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚଢ଼ାଉରେ ବୀରମିତ୍ରପୁର ଏସ୍‌ଡିପିଓ,ଆଇଆଇସି,ଓଆଇସି ପ୍ରମୁଖ ସାମିଲ ଥିଲେ।