୫ ସହରରେ ପାରଦ ୩୮ ଡିଗ୍ରୀ ପାର୍‌

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଝଡ଼ବର୍ଷା କମିଥିବାବେଳେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ମଙ୍ଗଳବାର ୨୨ ସହରରେ ପାରଦ ସ୍ବାଭାବିକଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୫ ସହରରେ ୩୮ ଡିଗ୍ରୀ ପାର କରିଛି। ୩୮.୫ ଡିଗ୍ରୀ ସହ ଭବାନୀପାଟଣା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାବାଦ ସୋନପୁର ଓ ଝାରସୁଗୁଡ଼ା ପାରଦ ୩୮.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁର ଓ ତାଳଚେରରେ ପାରଦ ୩୮ ଡିଗ୍ରୀ ରେକର୍ଡ ହୋଇଛି। ବିଶେଷକରି ଆଭ୍ୟନ୍ତରୀଣ ଓ ତଥା ସୀମାନ୍ତ ଜିଲାରେ ତାତି ବଢ଼ିଛି।
ଅନ୍ୟପକ୍ଷରେ ଅପରାହ୍ନରେ ମଧ୍ୟ କିଛି ଜିଲାରେ ବର୍ଷା ହୋଇଛି। ମଙ୍ଗଳବାର ଢେଙ୍କାନାଳରେ ସର୍ବାଧିକ ୨୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁରରେ ମଧ୍ୟ ବର୍ଷା ହୋଇଛି। ଭଦ୍ରକ ବାସୁଦେବପୁରରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ସେହିପରି ପବନର ବେଗ ଘଣ୍ଟାପ୍ରତି ୭୦ କିମି ଛୁଇଁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୫ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ସକାଳୁ ଅପରାହ୍ନ ଯାଏ ପାଗ ଶୁଖିଲା ରହିବ। ଅପରାହ୍ନରେ ବର୍ଷା ସାଙ୍ଗକୁ ଝଡ଼ ହେବା ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ର ଦ୍ବାରା ଜାରି ବୁଲେଟିନ ଅନୁସାରେ, ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପାରଦ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ମଧ୍ୟ ରହିଥିଲେ ମଧ୍ୟ କେବଳ ୭ ତାରିଖ ଲାଗି ୧୫ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ବୁଧବାର ଓ ଗୁରୁବାର ଉପକୂଳ ଓଡ଼ିଶା ସମେତ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାର ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧପାଇବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି।