କେସିଙ୍ଗା,୩୦।୧୧( ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ମୁକ୍ତ ମଞ୍ଚରେ ୩୭ତମ ‘ପୁଷପୁନି ଭେଟଘାଟ’ ଓ ରାଜ୍ୟସ୍ତରୀୟ ଲେଖକ ସମାବେଶ ଓ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହ ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ (କେନ୍ଦ୍ରୀୟ ସଭାପତି)ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏନ୍.ଏ.ସି. ଅଧ୍ୟକ୍ଷ ନୃପରାଜ ଯଦବ ଏବଂ କବି ଓ ଅନୁବାଦକ ଡ. ଭଗବାନ ଜୟସିଂହ ପୁରୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପୂର୍ବାହ୍ନରେ ବରିଷ୍ଠ ସାହିତ୍ୟିକା ମଞ୍ଜୁମେଧା ଗୁରୁଙ୍କ ଦ୍ୱାରା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଅତିଥିମାନଙ୍କ ଦ୍ୱାରା ‘ସମ କଳାର ଯୁବସ୍ୱର’, ‘ଅଷ୍ଟମ ଋତୁର ମହକ’, ‘ଆମ କବି ଆମ କବିତା’ ଏବଂ ‘ସାରସ୍ୱତ ସୌମ୍ୟା’ର ନୂତନ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଭୁବନେଶ୍ୱର, କଟକ, ପୁରୀ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ୱର, ବଲାଙ୍ଗୀର ଆଦି ଜିଲାରୁ ବହୁ ବିଶିଷ୍ଟ କବି, ଲେଖକ ଓ ଅନୁବାଦକମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ସନ୍ଧ୍ୟା ଅଧିବେଶନରେ ଚେତାବନୀ ପ୍ରଜ୍ଞା ସମ୍ମାନ ସମେତ ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କଥାଶିଳ୍ପୀ ଲକ୍ଷ୍ମୀ ଚାନ୍ଦ (ଭୁବନେଶ୍ୱର), ଡ. ଚିତ୍ତରଞ୍ଜନ ମିଶ୍ର (ପୁରୀ) ଓ କେଦାର ମିଶ୍ର (ସୁବର୍ଣ୍ଣପୁର) ପ୍ରମୁଖଙ୍କୁ ରାଜ୍ୟ ସ୍ତରୀୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ମଞ୍ଚ ପରିଚାଳନା ଜ୍ଞାନେନ୍ଦ୍ର ଭୋଇ କରିଥିବା ବେଳେ ଜାଦବେନ୍ଦ୍ର ସାହା ଧନ୍ୟବାଦ ଅର୍ପଣ କରିଥିଲେ।


