ବିଦେଶରେ କରୋନା ନେଲାଣି ୩୭୩ ଭାରତୀୟ ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ, ୨୧।୯: ବିଦେଶରେ ରହୁଥିବା ୧୧ ହଜାର ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ସଂସଦରେ ସୂଚନା ଦିଆଯାଇଛି।
ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବର୍ହି ବ୍ୟାପାର ମନ୍ତ୍ରୀ ଭି. ମୂରଲୀଧରନ କହିଛନ୍ତି, ଇଣ୍ଡିଆନ୍‌ ମିଶନ ଦ୍ୱାରା ସେପ୍ଟେମ୍ବର ୧୦ ସୁଦ୍ଧା ସଂଗୃହିତ ତଥ୍ୟ ଅନୁଯାୟୀ, ୧୧ ହଜାର ୬୧୬ଜଣ ଭାରତୀୟ ନାଗରିକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ଯେଉଁଥିରେ ସୌଦୀ ଆରବରେ ସର୍ବାଧିକ ୨୮୪ ଭାରତୀୟ ପ୍ରାଣ ହରାଇ ଥିବାବେଳେ ଏହା ପଛକୁ ବାହାରିନ୍‌ (୩୦) ଓ ୟୁଏସ୍‌ (୧୩) ରହିଛି। ସେହିଭଳି ସର୍ବାଧିକ ଭାରତୀୟ ନାଗରିକ ସଂକ୍ରମିତ ହୋଇଥିବା ଦେଶ ମଧ୍ୟରେ ସିଙ୍ଗାପୁର (୪,୬୧୮ ଜଣ), ବାହାରିନ (୨,୬୩୯), କୁଏତ୍‌ (୧,୭୬୯), ଓମାନ (୯୦୭), କ୍ୱାତାର (୪୨୦), ଇରାନ (୩୦୮), ୟୁଏଇ (୨୩୮), ଇଟାଲୀ (୧୯୨) ଓ ମାଲେସିଆ (୬୦) ରହିଥିବା ମୂରଲୀଧରନ କହିଛନ୍ତି।

Share