ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର

ସୋରଡ଼ା,୭।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଥାନାଧିକାରୀ ପ୍ରଭାତ ସାହୁଙ୍କ ସୂଚନା ଅନୁଯାୟୀ, ଲାଠିପଡ଼ା ବିଦ୍ୟାଳୟ ପରିସରରେ ଡକାୟତ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ପାଇ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଅତର୍କିିତ ଚଢ଼ାଉ କରିଥିଲା। ସେଠାରୁ ଅକ୍ଷୟ ନାୟକ, ଆଠଗଡ଼ ପାଟଣା, ତନୁଜା ସ୍ବାଇଁ, ବଡ଼ଆଗୁଳ, ପପୁ ନାୟକ କବିସୂର୍ଯ୍ୟନଗର, ଅଜିତ କୁମାର ସ୍ବାଇଁ ଗୁଣୁପଡ଼ା, ଶତୃଘ୍ନ ସ୍ବାଇଁ, ବିଡିପୁରଙ୍କୁ ପୋଲିସ ଗିରଫ କରିଥିବାବେଳେ ବୁଲୁ ବେହେରା, ବିନୋଦ ପାତ୍ର ଏବଂ ସୂର୍ଯ୍ୟ ପାତ୍ର ଫେରାର ହୋଇଯାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହୋଇଥିବା ଏହି ଚଢ଼ାଉରେ ଏସଆଇଏସ କଣ୍ଡ ଗୋରିଙ୍କ ନେତୃତ୍ୱରେ ପୋଲିସ ଦଳ ସାମିଲ ଥିଲା। ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ବୋମା, ୨ଟି ଖଣ୍ଡା, ଗୋଟିଏ ହେଲମେଟ୍‌, ୨ଟି ଲୁହାରଡ୍‌ ଓ ୩ଟି ମଦ ବୋତଲ ଜବତ କରିଛି। ୫ ଅଭିଯୁକ୍ତଙ୍କୁ ରବିବାର ମଧ୍ୟାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଶତୃଘ୍ନଙ୍କ ନାମରେ ଜଗନ୍ନାଥପ୍ରସାଦ ଥାନାରେ ବିଭିନ୍ନ ମାମଲା ରହିଥିବା ସାହୁ କହିଛନ୍ତି। ସୋରଡ଼ା ଥାନାରେ କେସ ୧୦୩/୧୯ରେ ଏକ ମାମଲା ରୁଜୁ ହୋଇଛି।

Share