ଦିନ ମଜୁରିଆ ଯୁବତୀଙ୍କଠୁ ୩୭ ହଜାର ଠକେଇ

ରାଉରକେଲା ଅଫିସ/ କୁଆଁରମୁଣ୍ଡା, ୧୦।୧: ଲକ୍ଷପତି ହେବା ନିଶା ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳର ଜଣେ ଦିନ ମଜୁରିଆ ଯୁବତୀଙ୍କ ପାଇଁ ମହଙ୍ଗା ପଡିଛି। ଯୁବତୀ ଜଣକ କେବିସି ଲଟେରି ମାଧ୍ୟମରେ ୨୫ ଲକ୍ଷ ଟଙ୍କା ପାଇବେ ବୋଲି ୩୭ ହଜାର ୫୦୦ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ରବିବାର ରାଉରକେଲା ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କୁଆଁରମୁଣ୍ଡା କଚାରୁ ସିଆରଜୋର ଗାଁର ସୁରେନ୍ଦ୍ର ସିଂଙ୍କ ଝିଅ ସାନିଆ ସିଂ(୨୭)। ସାନିଆ ଜଣେ ଦିନ ମଜୁରିଆ ଅଟନ୍ତି। ଗତ ୭ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ କୌନ ବନେଗା କୋରଡ଼ ପତି ନାମରେ ଅମିତାଭ ବଚ୍ଚନଙ୍କ ଫଟୋ ସହ ୱାଟ୍ସଆପ୍‌ ମେସେଜ ଆସିଥିଲା। ଏଥିରେ ସେ କେବିସି ଲଟେରିରେ ୨୫ ଲକ୍ଷ ଟଙ୍କା ଜିତିଥିବା ଉଲ୍ଲେଖ ରହିଥିଲା। ମେସେଜ ପଢିବା ପରେ ସାନିଆ ଉକ୍ତ ନମ୍ବରକୁ କଲ୍‌ କରିଥିଲେ। ଅଜ୍ଞାତ ବ୍ୟକ୍ତି ଜଣକ ୨୫ ଲକ୍ଷ ଟଙ୍କା ପଠାଇବା ପାଇଁ ସାନିଆଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଫଟୋ ମାଗିଥିଲେ। ଲୋଭର ବଶବର୍ତ୍ତୀ ହୋଇ ସେ ଉକ୍ତ ହ୍ବାଟ୍ସଆପ୍‌କୁ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଫଟୋ ପଠାଇଥିଲେ। ପରେ ପଞ୍ଜୀକରଣ ପାଇଁ ପ୍ରଥମ କିସ୍ତିରେ ୧୨ ହଜାର ୫୦୦ ଓ ଦ୍ୱିତୀୟ କିସ୍ତିରେ ଅବଶିଷ୍ଟ ୨୫ ହଜାର ଟଙ୍କା ଦେବାକୁ ଠକ ଜଣକ ସାନିଆଙ୍କୁ କହିଥିଲେ। ସାନିଆ ଦୁଇଟି କିସ୍ତିରେ ମୋଟ ୩୭ ହଜାର ୫୦୦ ଟଙ୍କା ଫୋନ୍‌ ପେ ମାଧ୍ୟମରେ ପଠାଇଥିଲେ। ଟଙ୍କା ପାଇବା ପରେ ଅନ୍‌ଲାଇନ ଠକ ଜଣକ ତାଙ୍କ ଫୋନ ଆଉ ଉଠାଇ ନ ଥିଲେ। ସନ୍ଦେହ ହେବାରୁ ସାନିଆ ରବିବାର ଏ ନେଇ ରାଉରକେଲା ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ତଦନ୍ତ ଚାଲିଥିବା ସାଇବର ଥାନା ପକ୍ଷରୁ କୁହାଯାଇଛି।