୭ ରାଜ୍ୟରେ ୩୭ ଓମିକ୍ରନ୍‌ ଆକ୍ରାନ୍ତ, ଘନେଇଲା ସଙ୍କଟ…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶର ୭ଟି ରାଜ୍ୟରେ ଇତିମଧ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ପୁଣି ସଙ୍କଟ ଘନେଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଛି। ରବିବାର ନାଗପୁରରେ ଜଣେ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା୧୮କୁ ବୃଦ୍ଧି ପାଇଛି। ସେହିପରି ରାଜସ୍ଥାନରେ ୯ ଜଣଙ୍କ ନମୁନା ଓମିକ୍ରନ୍‌ ପିଜିଟିଭ୍‌ ଆସିଛି।

ରବିବାର ନାଗପୁର, ଚଣ୍ଡିଗଡ଼, ଆନ୍ଧ୍ରପ୍ରଦେଶ ଏବଂ କର୍ନାଟକରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ନିକଟରେ ସେ ମୁମ୍ବାଇ ଦେଇ ଆୟର୍ଲାଣ୍ଡରୁ ଏଠାକୁ ଆସିଥିଲେ। ପଞ୍ଜାବର ଚଣ୍ଡିଗଡ଼ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଇଟାଲୀରୁ ଆସିଛନ୍ତି। ଏଥି ସହିତ କର୍ନାଟକରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ୩୪ ବର୍ଷ ବୟସ୍କା ମହିଳା ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତିବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି। ସମସ୍ତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ ଯେ କେତେଜଣ ଓମିକ୍ରନ୍‌ରେ ଆକ୍ରାନ୍ତ।

ସମ୍ପ୍ରତି ଦେଶର ୩୭ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୮ ଜଣ, ରାଜସ୍ଥାନରେ ୯ ଜଣ, ଗୁଜରାଟରେ ୩, ଦିଲ୍ଲୀରେ ୨ ଜଣ, କର୍ନାଟକରେ ୩ ଜଣ, ଚଣ୍ଡିଗଡ଼ରେ ଜଣେ ଆନ୍ଧ୍ରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share