୩୬୦ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୪ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ବୁଧବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶ ଆଗ୍ରା ଜିଲା ଜରୁସପତ୍ରା ଗ୍ରାମର ଭିକ୍କି ସିଂଗ, କଗରାଲ ଗ୍ରାମର ମୁକେଶ କୁମାର, ମାଲକାନଗିରି ଜିଲା ତମସା ପଞ୍ଚାୟତ ତଣ୍ଡାପାଲ୍ଲୀ ଗ୍ରାମର ଦୁଲା ମାଡକାମି ଓ ର୍କେଲଗୁଡା ଗ୍ରାମର ଇନ୍ଦ୍ରଜିତ ମାଡି, ପୋଡିଆ ଥାନା ମାଡିଗୁଡା ଗ୍ରାମର ମରା ମାଡି। ପୋଲିସ ଗିରଫ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ସହ ୪ଟି ମୋବାଇଲ ଫୋନ ଜବତ କରିଛି। ଗଞ୍ଜେଇ ମାଲକାନଗିରିରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ତଦନ୍ତ ବେଳେ ଜଣାପଡିଛି। ଏନେଇ ମାଲକାନଗିରି ଥାନାରେ ଏକ ମାମଲା(ନଂ. ୨୯୨/୨୩) ରୁଜୁ କରି ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ନିତେଷ୍‌ ବାଧ୍ୱାନୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଥାନା ଅନ୍ତର୍ଗତ ଟିଟିବେରି ଗ୍ରାମ ଛକଠାରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ୍‌ ଓ କାର ଦ୍ରୁତଗତିରେ ଆସୁଥିବା ଦେଖି ଗାଡି ଦ୍ୱୟକୁ ଅଟକା ଯାଇଥିଲା। ଗାଡି ଯାଞ୍ଚ ବେଳେ କାରରେ ୧୨ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହାର ଓଜନ ପରେ ବସ୍ତାରେ ୩୬୦ କେଜି ଗଞ୍ଜେଇ ଥିବା ଜଣାପଡିଛି।