୪ ଜିଲା ପାଇଁ ୩୬ ପିଜି ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପିଜି ଡାକ୍ତରମାନଙ୍କୁ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲାଗୁଡ଼ିକରେ କୋଭିଡ୍‌ ସମ୍ପର୍କିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ଅନୁଯାୟୀ ଏସ୍‌ସିବି ମେଡିକାଲ କଲେଜର ୨ଜଣ ଆନାସ୍ଥେସିଓଲୋଜି, ୫ଜଣ ଜେନେରାଲ ମେଡିସିନ, ଜଣେ ପଲ୍‌ମୋନାରି ମେଡିସିନ ଓ ଜଣେ ରେଡିଓଲୋଜିଙ୍କୁ ମିଶାଇ ମୋଟ ୧୦ ଜଣ ପିଜି ଡାକ୍ତରଙ୍କୁ କଳାହାଣ୍ଡି ଜିଲାପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୨ଜଣ ଆନାସ୍ଥେସିଓଲୋଜି, ୪ ଜଣ ଜେନେରାଲ ମେଡିସିନ, ଜଣେ ଅର୍ଥୋପେଡିକ ଓ ଏସ୍‌ସିବି ମେଡିକାଲ କଜେଲରୁ ଜଣେ ରେଡିଓଲୋଜିଷ୍ଟଙ୍କୁ ମିଶାଇ ମୋଟ ୮ ଜଣ ପିଜି ଡାକ୍ତରଙ୍କୁ ମାଲକାନଗିରି ଜିଲା ପାଇଁ ନିଯୁକ୍ତି ଦିଆଯାଇଛି। ସେହିପରି ଏମ୍‌କେସିଜି ମେଡିକାଲ କଲେଜରୁ ଜଣେ ଓ ଏସ୍‌ସିବି ମେଡିକାଲ କଲେଜରୁ ଜଣେ ଆନାସ୍ଥେସିଓଲୋଜି, ଏମ୍‌କେସିଜିରୁ ୪ ଜଣ ଜେନେରାଲ ମେଡିସିନ ଓ ଜଣେ ଅର୍ଥୋପେଡିକ୍ସ ଏବଂ ଏସ୍‌ସିବିରୁ ଜଣେ ରେଡିଓଲୋଜିଷ୍ଟଙ୍କୁ ମିଶାଇ ମୋଟ ୮ ଜଣ ପିଜି ଡାକ୍ତରଙ୍କୁ ନବରଙ୍ଗପୁର ଜିଲା ପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ ଏସ୍‌ସିବିରୁ ୨ ଜଣ ଆନାସ୍ଥେସିଓଲୋଜି, ୫ ଜଣ ଜେନେରାଲ ମେଡିସିନ, ଜଣେ ପଲ୍‌ମୋନାରି ମେଡିସିନ ଓ ଜଣେ ରେଡିଓଲୋଜିଷ୍ଟଙ୍କୁ ମିଶାଇ ମୋଟ ୧୦ ଜଣ ପିଜି ଡାକ୍ତରଙ୍କୁ ନୂଆପଡା ଜିଲା ପାଇଁ ନିଯୁକ୍ତି ଦିଆଯାଇଛି। ଏ ସମସ୍ତ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ରହି କାର୍ଯ୍ୟ କରିବେ।