ଲାପ୍‌ଟପ୍‌ ପାଇଁ ଆବେଦନ କରିନାହାନ୍ତି ୩୮ ଉଚ୍ଚ ମାଧ୍ୟମିକ ସ୍କୁଲର ୩୫୯ ପିଲା

ଭୁବନେଶ୍ୱର, ୨୫।୫ (ବ୍ୟୁରୋ): ରାଜ୍ୟରେ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ କିଣିବା ପାଇଁ ସରକାର ଆଥର୍ର୍ତ୍କ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସଚେତନତା ଅଭାବରୁ ବହୁ ମେଧାବୀ ପିଲା ଏ ସମ୍ପର୍କରେ ଜାଣିପାରୁନାହାନ୍ତି। ଫଳରେ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି ଉଚ୍ଚମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲ୍‌ଙ୍କୁ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହେଉଛି।
ସ୍ବତନ୍ତ୍ର ସଚିବ ତାଙ୍କ ଚିଠିରେ କେଉଁ ହାଇସ୍କୁଲ୍‌ରେ କେତେ ଯୋଗ୍ୟ ଛାତ୍ରୀଛାତ୍ରୀ ଲାପ୍‌ଟପ୍‌ କିଣିବା ପାଇଁ ଆବେଦନ କରିନାହାନ୍ତି ତାହାର ତାଲିକା ଦେଇଛନ୍ତି। କଟକ ରେଭେନ୍‌ସା ହାୟର ସେକେଣ୍ଡାରୀ ସ୍କୁଲ୍‌, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍‌ ଭଳି ବିଭିନ୍ନ ଜିଲାର ୩୮ଟି ହାଇସ୍କୁଲ୍‌ର ମୋଟ୍‌ ୩୫୯ ଯୋଗ୍ୟ ପିଲା ଲାପ୍‌ଟପ୍‌ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ଯେଉଁଥିରେ ରେଭେନସା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ରେ ସର୍ବାଧିକ ୨୯ ଜଣ, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୨୮ ପିଲା ରହିଛନ୍ତି। ବିଜ୍ଞାପନ ଏବଂ ୫ ଥର ସମୟସୀମା ବଢ଼ାଯିବା ସତ୍ତ୍ୱେ ୨୦୨୧ ବର୍ଷର ୩୫୯ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ହୁଏତ ସେମାନେ ଏହି ଯୋଜନା ବିଷୟରେ ସଚେତନ ନ ଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ବିଷୟକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ନିଜ ସ୍ତରରେ ପଦକ୍ଷେପ ନେବାକୁ ପ୍ରିନ୍ସିପାଲମାନଙ୍କୁ କୁହାଯାଇଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରୀଛାତ୍ର ଆସନ୍ତା ୩୧ ତାରିଖ ମଧ୍ୟରେ ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ ଜରିଆରେ ଆବେଦନ କରିବା ନିମନ୍ତେ ଗାଇଡ୍‌ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲଙ୍କୁ ସ୍ବତନ୍ତ୍ର ସଚିବ ଜଣାଇଛନ୍ତି।