ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବ । କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି।

ଏପରି କି କମିଟି ପକ୍ଷରୁ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ସ୍ବତନ୍ତ୍ର ଏକ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା କରିବାକୁ ଅନୁମୋଦନ କରାଯାଇଥିବା ବେଳେ ଅନ୍ୟ ୭ଟି ଜିଲାରେ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦିଆଯାଇଛି। ଏଥିସହ କମିଟି ୧୦ଟି ବାଣିଜି୍ୟକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛି। ବୈଠକରେ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି।

ଅତିରିକ୍ତ ଜିଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସିଭିଲ ଜଜ୍‌ ଅଦାଲତ(ସିନିୟର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍‌ (ଜୁନିୟର ଡିଭିଜନ) ଓ ବାଣିଜି୍ୟକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଉଚ୍ଚ କ୍ଷମତାସମ୍ପନ୍ନ କମିଟି ୪ଟି ବାଣିଜି୍ୟକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବା ବେଳେ ନୟାଗଡ଼ ଜିଲାର ଓଡ଼ଗାଁଠାରେ ସିଭିଲ ଜଜ୍‌ କୋର୍ଟ(ସିନିୟର ଡିଭିଜନ) ପ୍ରତିଷ୍ଠା କରିବାକୁ ଅନୁମୋଦନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦନ ପରେ ମଞ୍ଜୁରୀ ପାଇଥିବା ଏହି ଅଦାଲତ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।