୩୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ପୁରୀ ଅଫିସ, ୧୬।୨: ବହୁଦିନ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା। ବାସେଳି ସାହି ଥାନା ପୋଲିସ ଏବଂ ପୁରୀ ଏସ୍‌ଟିଏଫ୍‌ ଟିମ ମିଳିତ ଉଦ୍ୟମରେ ମଙ୍ଗଳବାର ୪ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍‌(୪୨), ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏସ୍‌.କେ ଇଫତେଖାର ତୁଲା, ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ତିରିମାଲର ଦୀପ ରଞ୍ଜନ ଭୁଜବଳ(୨୩) ଏବଂ ପିପିଲି ଦେବୀ ଗଳିର ପପୁ ପାଣ୍ଡେ ଓରଫ ଅକ୍ଷୟ(୨୯)। ସେମାନଙ୍କଠାରୁ ୩୫୯ ଗ୍ରାମ ୬୬ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏଥିସହ ନଗଦ ୧୭ ହଜାର ଟଙ୍କା, ୩ଟି ବାଇକ୍‌, ୫ଟି ମୋବାଇଲ ଏବଂ ଗୋଟିଏ ଓଜନ ମେଶିନ୍‌ ଜବତ ହୋଇଛି। ପୋଲିସ କେସ୍‌ ନଂ ୩୦/୨୨ରେ ମାମଲା ରୁଜୁ କରାଯାଇଥିବା ବାସେଳି ସାହି ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପୁରୀ ଏସ୍‌ପି କନୱର ବିଶାଲ ସିଂ ସୂଚନା ଦେଇଥିଲେ। ସୂଚନା ମୁତାବକ, ବ୍ରାଉନ ସୁଗାର ବିକ୍ରି ପାଇଁ ୪ଜଣ ଯୁବକ ସୋମବାର ରାତିରେ ପୁରୀ ଆସୁଥିଲେ। ବିଶେଷ ସୂତ୍ରରୁ ଖବରପାଇ ମାଟିତୋଟା ପଡିଆଠାରେ ବାସେଳୀ ସାହି ଥାନା ପୋଲିସ ଓ ଏସ୍‌ଟିଏଫ୍‌ ଚଢାଉ କରିଥିଲେ। ସେମାନଙ୍କୁ ଚେକିଂ କରିବା ବେଳେ ବ୍ରାଉନସୁଗାର ଥିତ୍ବା ଦେଖି ଥାନାକୁ ଆଣିଥିଲେ। ପଚରାଉଚରା ପରେ ସେମାନେ ବ୍ରାଉନସୁଗାର କାରବାର କରୁଥିବା ସ୍ବୀକାର କରିଥିଲେ ବୋଲି ଏସ୍‌ପି କହିଛନ୍ତି। ଏହି ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମିହିର ରଞ୍ଜନ ପଣ୍ଡା, ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ ଏବଂ ବାସେଳି ସାହି ଥାନାଧିକାରୀ କୁଳମଣି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।