୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି

ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ ବେହେରା ବୈଠକରେ ଅଧ୍ୟକ୍ଷତା କରି ପୂର୍ବ ଏବଂ ଚଳିତ ବୈଠକର ନିଷ୍ପତ୍ତିକୁ କଡାକଡି ଭାବେ ପାଳନ କରିବା ପାଇଁ ଆଞ୍ଚଳିକ ପରିବହନ ବିଭାଗ, ପୂର୍ତ୍ତ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାସ୍ତାପାର୍ଶ୍ୱ ଢାବାଗୁଡ଼ିକ ନିକଟରେ ୫୫ ଓ ୫୩ନଂ. ଜାତୀୟ ରାଜପଥ ମଝିରୁ ବେଆଇନ ଭାବେ କଟିଂ କରାଯାଇ ରାସ୍ତା ବାହାର କରାଯାଉଥିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂକ୍ରାନ୍ତରେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଥିଲେ। ଆସନ୍ତା ମାର୍ଚ୍ଚ ମଧ୍ୟରେ ଅଧାପନ୍ତରିଆ ହୋଇ ପଡିଥିବା ରାସ୍ତା କାମ ସାରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।
ଗତ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ଜିଲାରେ ୩୩୭ଟି ଦୁର୍ଘଟଣା ଘଟି ୩୪୭ଜଣ ଆହତ ହୋଇଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହା ଏହି ସମୟ ମଧ୍ୟରେ ୧୬୩ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ବୋଲି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପୌରାଞ୍ଚଳ ପୂର୍ତ୍ତ ବିଭାଗ ରାସ୍ତାରେ ସ୍କୁଲ, କଲେଜ ଥିବା ଅଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ସାଇନେଜ୍‌ ଲଗାଇବା ପାଇଁ ମତପ୍ରକାଶ ପାଇଥିଲା। ସହର ରାସ୍ତାରୁ ଗୋରୁ ଓ ଷଣ୍ଢଙ୍କୁ ହଟାଇବା ପାଇଁ ସଦସ୍ୟମାନେ ଦାବି କରିଥିଲେ। କପିଳାସଠାରୁ ଗଁଦିଆ, ଷଡଙ୍ଗୀ ଦେଇ ଭୁବନକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିବାକୁ ଦାବି କରାଯାଇଥିଲା। ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ମୋଟରଯାନ ନିରୀକ୍ଷକ ଦେବାଶିଷ ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଦସ୍ୟ ଓ ସଡ଼କ ସୁରକ୍ଷା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।