କରୋନାର ଦ୍ୱିତୀୟ ଲହରରେ ୪୦ ପ୍ରତିଶତରୁ ଅଧିକ ଯବାନଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ,୧୨ ।୭: କରୋନାର କରାଳ ରୂପ ଏବେବି ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । କାରଣ ଏହା କବଳରେ କିଏ କେତେବେଳେ ଆସିଯାଉଛନ୍ତି ତାହା ଜଣାପଡୁନି । କେହିବି ଏହା ପାଖରୁ ବର୍ତ୍ତି ଯାଇ ପାରୁ ନାହାନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ରିପୋର୍ଟରୁ ଜଣାଯାଇଛି କି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ୩୩୧ ଜଣ ଯବାନଙ୍କ ମୃତ୍ୟୁ କରୋନା ପାଇଁ ହୋଇଛି । ଏଥିମଧ୍ୟରୁ ୪୦ ପ୍ରତିଶତରୁ ଅଧିକ ମୃତ୍ୟୁ ଦ୍ୱିତୀୟ ଲହରରେ ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏବେ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ବା ସେଣ୍ଟ୍ରାଲ୍ ଆର୍ମଡ ପୋଲିସ ଫୋର୍ସ(ସିଏପିଏଫ୍‌)ର ୮୪ ହଜାର ଯବାନ କରୋନାରେ ପୀଡ଼ିତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଥିମଧ୍ୟୁ ୩୫ ପ୍ରତିଶତରୁ ଅଧିକ ସଂକ୍ରମଣ ଓ ୪୦ ପ୍ରତିଶତରୁ ଅଧିକ ମୃତ୍ୟୁ ମାର୍ଚ୍ଚ ତୃତୀୟ ସପ୍ତାହରେ ହୋଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୧ରେ ଆସିଥିବା କରୋନାର ଦ୍ୱିତୀୟ ଲହର ଦେଶରେ ତା’ର କରାଳ କାୟା ବିସ୍ତାର କରି ଦେଇଥିଲା । ଏଥିରେ ପ୍ରତିଦିନ ପ୍ରାୟ ୪ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ପ୍ରତିଦିନ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ହେଉଥିଲା । କରୋନା ସମୟରେ କିନ୍ତୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆର୍‌ପିଏଫ୍ ।

Share