ମହାରାଷ୍ଟ୍ର ଏସ୍‌ଆଇଆର୍‌ରେ ୩୩% ଭୋଟର ବାଦ୍‌

ନୂଆଦିଲ୍ଲୀ,୨୭ା୧୦: ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଦେଖାଦେଇଥିବାବେଳେ ମହାରାଷ୍ଟ୍ରରେ ଭୋଟର ତାଲିକାରୁ ୩୩ ପ୍ରତିଶତ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ୍‌କୁ ସୁପ୍ରିମକୋର୍ଟ ଅନୁଧ୍ୟାନ ପାଇଁ ସୋମବାର ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର, ଭାରତର ନିର୍ବାଚନ କମିଶନ (ଇସିଆଇ) ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ତେବେ ଦାବି ଓ ଅଭିଯୋଗ ଦାଖଲ ପାଇଁ ସମୟସୀମା ବଢ଼ାଇବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ପେସାରେ ଖବରଦାତା ଅରୁଣ ଆନନ୍ଦଗିରି ଉକ୍ତ ପିଟିଶନ ଦାଏର କରିଥିଲେ। ସମୟସୀମା ବଢ଼ାଇବା ନିମନ୍ତେ ନିର୍ଦ୍ଦେଶ ଦେବା ଜରୁରୀ ବୋଲି ଯଦି ଜଣାପଡ଼େ, ତେବେ ତାହା ବୃଦ୍ଧି କରାଯାଇପାରିବ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ରେ ହେବ।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଡାଟାର ଉପସ୍ଥିତ ରହି କହିଥିଲେ, ମୁମ୍ବାଇ ଓ ପୁଣେରେ ପୁନଃ ବିକାଶ ସମୟରେ ବହୁ ଲୋକ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିଲେ। ଉକ୍ତ ଲୋକମାନେ ମିଳିଲେ ନାହିଁ ବୋଲି ଦର୍ଶାଇ ସେମାନଙ୍କ ନାମକୁ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି। ମହାରାଷ୍ଟ୍ରର ମୋଟ ୯.୭୯ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨ କୋଟିଙ୍କ ନାମ ଚିଠା ଭୋଟର ତାଲିକାରୁ କାଟିଦିଆଯାଇଛି। ଏହା ବ୍ୟତୀତ ତାର୍କିକ ଅସଙ୍ଗତି ବା ଭୋଟର ତାଲିକାରେ କେତେକ ତଥ୍ୟଗତ ଅସଙ୍ଗତି ଦେଖାଦେବା କାରଣରୁ ୧.୨୨ କୋଟି ଭୋଟରଙ୍କ ନାମ ବାଦ୍‌ ପଡ଼ିଛି। ପିଟିଶନରେ ଦର୍ଶାଯାଇଥିଲା, ଯେପର୍ଯ୍ୟନ୍ତ ମାମଲା ସର୍ବୋଚ୍ଚ ଅଦାଲତଙ୍କ ବିଚାରାଧୀନ ରହିଛି, ସେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏସ୍‌ଆଇଆର୍‌ ପୂର୍ବ ତାଲିକାରେ ଥିବା ଭୋଟରମାନଙ୍କ ନାମ ବାଦ୍‌ ଦିଆଯିବା ଉଚିତ ନୁହେଁ।
ଖଣ୍ଡପୀଠଙ୍କୁ ଆଇନଜୀବୀ ଡାଟାର କହିଥିଲେ, ମୁମ୍ବାଇ ଓ ପୁଣେରେ ପ୍ରାୟ ୩,୫୦୦ ପୁନଃବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ବହୁ ପୁରୁଣା ହାଉସିଂ କଲୋନିକୁ ଭଙ୍ଗାଯାଇଛି। ଫଳରେ ଅନେକ ହଜାର ବାସିନ୍ଦା ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ଠିକଣା ଓ ଅନ୍ୟାନ୍ୟ ବିବରଣୀ ନ ମିଳିବା କାରଣରୁ ଭୋଟର ତାଲିକାର ନାଁ କାଟିଦିଆଯାଇଥାଇପାରେ। ପୂର୍ବ ନିର୍ବାଚନରେ ଭୋଟର ଭାବେ ତାଳିକାରେ ଥିବା ଲୋକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଫର୍ମ ପ୍ରପଳନ ନିମନ୍ତେ ଇସିଆଇଙ୍କୁ ନିର୍ଦ୍ଦେଶ ଦେବାକୁ ଡାଟାର ଖଣ୍ଡପୀଠଙ୍କୁ କହିଥିଲେ। ଫର୍ମ-୬ ନୂଆ ଭୋଟରଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ପୂର୍ବରୁ ଭୋଟର ଥିବା ଲୋକମାନଙ୍କ ପାଇଁ ଉକ୍ତ ଫର୍ମ ପ୍ରଚଳନ କରାଯିବା ଠିକ୍‌ ନୁହେଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ପ୍ରଭାବିତ ହୋଇଥିବା ଭୋଟରମାନଙ୍କୁ ସେମାନଙ୍କ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ ପାଇଁ ସୋମବାର ଶେଷ ତାରିଖକୁ ବଢ଼ାଇବା ନିମନ୍ତେ ଆବେଦନକାରୀ ଅନୁରୋଧ କରିଥିଲେ ଏବଂ ମାମଲା ଅଦାଲତଙ୍କ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଭୋଟର ତାଲିକା ଚୂଡ଼ାନ୍ତ କରାଯିବା ଉପରେ ସ୍ଥଗିତାଦେଶ ଲଗାଇବାକୁ ଦାବି କରିଥିଲେ।

Dharitri – Odisha’s No.1 Odia Daily

Share