୩୩ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ: ଯୌତୁକ ପ୍ରଥା ବିରୋଧରେ ବଡ଼ ସାମାଜିକ ବାର୍ତ୍ତା

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମଙ୍ଗଳବାର ବରଗଡ଼ ଜିଲା ମୁଖ୍ୟାଳୟସ୍ଥିତ ବେହେରା ବଜାର ପ୍ରାଙ୍ଗଣରେ ଜିଲାସ୍ତରୀୟ ସମୂହ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟ ବିବାହ ବିରୋଧରେ ଏକ ସଂକଳ୍ପ । ଯୌତୁକ ପ୍ରଥା ବିରୋଧରେ ଏକ ସାମାଜିକ ବାର୍ତ୍ତା ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ ପଦକ୍ଷେପ ।

ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ । ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ବତନ୍ତ୍ର ବିଶେଷତା । ସେହିପରି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଜିଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ପୂର୍ବତନ ଏମ୍‌ପି ପ୍ରଭାସ ସିଂ, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଭାଜପା ଜିଲା ସଭାପତି ଡା. ଅରୂପାନନ୍ଦ ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସନ୍ଧ୍ୟାରାଣୀ ନେପାକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବରବଧୂଙ୍କୁ ଆଶୀର୍ବାଦ ଦେବା ସହ ଏହି ଯୋଜନାର ସମସ୍ତ ସୁବିଧା ବିଷୟରେ କହିଥିଲେ।

ବରଗଡ଼ ଜିଲାର ବିିଭିନ୍ନ ବ୍ଲକ୍‌ରୁ ଆସିଥିବା ୩୩ ଯୋଡ଼ି ଯୁବତୀ, ଯୁବକ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବରକନ୍ୟା ରହିଥିଲେ। ବିବାହ କରିଥିବା ସମସ୍ତ ୩୩ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଥିବାବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମହାଶକ୍ତି ଫାଉଣ୍ଡେସନ ଏବଂ ଜିଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି।

ବିବାହ ସମ୍ପନ୍ନ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାୟଗଡା ବିଶ୍ୱ ବୈଦିକ ପରିବାର ବିବାହ ସଂସ୍କାର ପରିଚାଳନା କରି ଥିବାବେଳେ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ମହାଶକ୍ତି ଫାଉଣ୍ଡେସନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share