୩ ମେଶିନ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

ବାରଙ୍ଗ,୨୮ା୧(ଡି.ଏନ୍‌.ଏ.): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୁରୁବାର ଭୋରୁ ବିଏମ୍‌ସି ପକ୍ଷରୁ ଭୁଆସୁଣୀ ଡମ୍ପିଂୟାର୍ଡରେ ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ୫ଟି ଗାଡ଼ିରେ ମେଶିନ ଆଣି ରଖାଯାଇଥିଲା। ତେବେ ପ୍ଲାଣ୍ଟ ନିର୍ମାଣ ଉପରେ ବିନା ଆଲୋଚନାରେ ମେଶିନ ଗାଡ଼ି ଆସିଥିବା ଜାଣି ଦାରୁଠେଙ୍ଗ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଦାରୁଠେଙ୍ଗ ଗ୍ରାମବାସୀ ଚନ୍ଦକା- ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିଥିଲେ। ପରେ ବିଧାୟକ, ପ୍ରଶାସନିକ ଅଧିକାରୀ, ପୋଲିସ ଆସି ଗ୍ରାମବାସୀଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୁ ଉଠିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନ ସହ ପୂର୍ବରୁ ହୋଇଥିବା ନିଷ୍ପତ୍ତି ମୁତାବକ ପ୍ରଥମେ ଏଠାରେ ଅଳିଆ ପଡ଼ିବା ବନ୍ଦ ହେବା ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ବି ଅଳିଆ ପଡୁଥିବାବେଳେ ବିଏମ୍‌ସି ପକ୍ଷରୁ କୌଣସି ଆଲୋଚନା ନ କରି ପ୍ଲାଣ୍ଟ ପାଇଁ ମେଶିନ ଅଣାଯାଇଥିଲା। ବିଏମ୍‌ସିର ଏହି କାର୍ଯ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ମେଶିନ ନେଇ ଆସିଥିବା ୩ଟି ଗାଡିକୁ ଅଟକ ରଖିବା ସହ ଦାରୁଠେଙ୍ଗ ଗାଁମୁଣ୍ଡରେ ଚନ୍ଦକା-ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିଥିଲେ। ଖବରପାଇ ଚନ୍ଦକା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିବାପରେ ମଧ୍ୟ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିବା ସହ ବିଏମସିର କର୍ମକର୍ତ୍ତା ଏଠାକୁ ଆସି ଆଲୋଚନା କରିବାକୁ ଦାବି କରିଥିଲେ। ରାସ୍ତା ଅବରୋଧ କରିବାରୁ ଉଭୟ ପାର୍ଶ୍ୱରୁ ଗାଡ଼ିମୋଟର ଅଟକି ରହିଥିଲା। ସାରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ପାଖରେ ପହଞ୍ଚତ୍ ବିଏମ୍‌ସିର ପଦାଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ଆଦେଶ ନ ମିିଳିବା ପର୍ଯ୍ୟନ୍ତ ବାୟୋମାଇନିଂ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ ରହିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଗ୍ରାମବାସୀ ଉଠିଥିଲେ।